ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ବିଶେଷ ଭାବରେ ସ୍ଥାନୀୟ ସଂକ୍ରମଣ ପ୍ରଶାସନର ଚିନ୍ତା ବଢାଇଥିବା ବେଳେ ବିଭିନ୍ନ ବଜାରରେ କିନ୍ତୁ ଅମାନିଆ ଲୋକେ ସରକାରଙ୍କ ନିୟମ ଓ ପରାମର୍ଶକୁ ପାଳନ କରୁନଖିବା ଦେଖିବାକୁ ମିଳୁଛି । ଲୋକେ ମାସ୍କ ପରିଧାନ କିମ୍ବା ସାମାଜିକ ଦୂରତା ବଜାୟ ରଖୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବୋଦ୍ଧ ଜିଲ୍ଲାପାଳ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବେସୁଦ୍ଧା ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ଚିହ୍ନଟ ଅଧିକାଂଶ ଆକ୍ରାନ୍ତଙ୍କ ଗଞ୍ଜାମ ଲିଙ୍କ୍ ରହିଥିବା ସୂଚନା ମିଳିଛି । ଏପରିସ୍ଥଳେ ସୀମା ସିଲ ହୋଇନଥିବାରୁ ବହୁ ଗଞ୍ଜାମ ଫେରନ୍ତା ବିନା ସୂଚନାରେ ଜିଲ୍ଲାରେ ପ୍ରବେଶ କରି ସଂକ୍ରମଣର ଆଶଙ୍କା ସୃଷ୍ଟି କରୁଛନ୍ତି ।
ସେପଟେ ବୌଦ୍ଧ ବଜାର ସହିତ ବାଉଁଶୁଣୀ ବଜାର, ଦହ୍ୟା ବଜାର ଓ ମନମୁଣ୍ଡା ବଜାର ଅଞ୍ଚଳରେ ଅନେକ ଅମାନିଆ ବିନା ମାସ୍କ ଓ ସାମାଜିକ ଦୂରତା ନରଖି ବୁଲାବୁଲି କରୁଛନ୍ତି । ତେବେ ଏହାକୁ ନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ