ବୌଦ୍ଧ: ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(MGNREGA) କାର୍ଯ୍ୟର ତଦାରଖ ତଥା ଫଟୋ ଉତ୍ତୋଳନ ପାଇଁ ଯାଇଥିବା ମହିଳା ଗାଁ ସାଥୀଙ୍କୁ ଆକ୍ରମଣ ଅଭିଯୋଗ । ଅସଭ୍ୟ ଭାଷାରେ ଗାଳି ଗୁଲଜ ସହିଜ ମହିଳା ଗାଁ ସାଥୀ ଓ ତାଙ୍କ ପୁଅକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଥାନାରୁ ନ୍ୟାୟ ନମିଳିବାରୁ ଜିଲ୍ଲାପାଳ ଓ ଏସପିରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ଗାଁ ସାଥୀ । ବୌଦ୍ଧ ଜିଲ୍ଲାରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଛି । ଆଉ ଏହି ଦୁର୍ନୀତିର ଗନ୍ତାଘର ପାଲଟିଛି ପଞ୍ଚାୟତ କାର୍ଯ୍ୟାଳୟ ।
ଏପରିକି ଏହି ଦୁର୍ନୀତିର ଅଭିଯୋଗ କିମ୍ବା ବିରୋଧ କଲେ ଓଲଟା ମାଡ ଦିଆଯାଉଛି । ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ବ୍ଲକ ତଥା ମନମୁଣ୍ଡା ଥାନା ଅଧିନରେ ଥିବା ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଋଷିବନ୍ଧ ଗ୍ରାମର ନୂଆ ପୋଖରୀ ଖନନ ମନରେଗା ଯୋଜନା ଅଧିନରେ ଆରମ୍ଭ ହୋଇଛି । ଏହି ପୋଖରୀ ଖନନ ବେଳେ ଏହାର ଫଟୋ ଉତ୍ତୋଳନ ପାଇଁ ଯାଇଥିବା ମହିଳା ଗାଁ ସାଥୀଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଓ ଭାଇ ମିଶି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।
ଉଭୟେ ମହିଳା ଗାଁ ସାଥୀ ଓ ତାଙ୍କ ପୁଅଙ୍କୁ ମାଡ ମାରିବା ସହିତ ତାଙ୍କ ମୋଟର ସାଇକେଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମହିଳା ଗାଁ ସାଥୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେଠାରୁ କୌଣସି ନ୍ୟାୟ ପାଇନଥିଲେ । ମହିଳା ଜଣକ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ