ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଅଭିନବ ପ୍ରୟାସ । ନିଜ କାରକୁ କୋରୋନା ପାଇଁ ଉତ୍ସର୍ଗ କରି କୋରୋନା ରଥ ଭାବରେ ପ୍ରସ୍ତୁତ କରିଛନ୍ତି । ଏହି କୋରୋନା ରଥକୁ ନେଇ ଗାଁକୁ ଗାଁ ବୁଲି ନିଜ ସହଯୋଗୀଙ୍କ ସହିତ ଲୋକଙ୍କୁ ସଚେତନ କରୁଛନ୍ତି ।

ଏଥିସହିତ ଅଧ୍ୟାପକ କାର ମଧ୍ୟରେ ସାନିଟାଇଜର ଠାରୁ ଆରମ୍ଭ କରି ମାସ୍କ ରଖିଛନ୍ତି । ସେହିପରି ଅସହାୟ ଲୋକଙ୍କ ପାଇଁ ରାସନ ସାମଗ୍ରୀ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ବିଭିନ୍ନ ଗାଁରେ ଅଧ୍ୟାପକ ଓ ତାଙ୍କ ସହଯୋଗୀଙ୍କୁ ବିଭିନ୍ନ ଗାଁର ଯୁବବର୍ଗ ଓ କିଛି ସ୍ବେଚ୍ଛାସେବୀ ଯୋଗ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି । ମଙ୍ଗଳବାର ଅଧ୍ୟାପକଙ୍କ ଏହି ଦଳ ଡାଙ୍ଗପଡା ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିବା ବେଳେ ସେଠାରେ ବୌଦ୍ଧ ବିଡ଼ିଓ, ସ୍ବେଚ୍ଛାସେବୀ ଦେବାଶିଷ ପୁରୋହିତ, ସ୍ବେଚ୍ଛାସେବୀ କୃତ୍ତିବାସ ପଲିଆ ପ୍ରମୁଖ ପହଞ୍ଚି ଲୋକଙ୍କୁ ଘରେ ସୁରକ୍ଷିତ ରହି ଏହି ଯୁଦ୍ଧରେ ଲଢିବା ପାଇଁ ଆହ୍ବାନ ଦେଇଥିଲେ । ପ୍ରତ୍ୟେକ ଗାଁରେ ଏହି ଯୁବବର୍ଗ ମଧ୍ୟ ପହଞ୍ଚି ଲୋକଙ୍କୁ ସଚେତନ ତଥା ସ୍ବଚ୍ଛତା ପାଇଁ ସଙ୍କଳ୍ପ ପାଠ ମଧ୍ୟ କରାଉଛନ୍ତି । ଅଧ୍ୟାପକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ