ବୌଦ୍ଧ: ଥମୁନି ବାଲ୍ୟବିବାହର ଧାରା । ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ଯୋଗୁଁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଆଜି (ଶୁକ୍ରବାର) ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ । ଚଳିତ ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କୋଡିଏରୁ ଊର୍ଦ୍ଧ୍ବ ବାଲ୍ୟ ବିବାହକୁ ପ୍ରଶାସନ ରୋକିଥିବା ବେଳେ ଜନସଚେତନତା ଅଭାବରୁ ଏହାକୁ ରୋକାଯାଇ ପାରୁନାହିଁ ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ, ସମନ୍ବିତ ଶିଶୁ ବିଭାଗ, ଚାଇଲ୍ଡ ଲାଇନ ସେମାନଙ୍କ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଚୋରାଲୁଚାରେ ବାଲ୍ୟବିବାହ ହେଉଛି ।ଜିଲ୍ଲା ପ୍ରଶାସନ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର କେତେକ ଗ୍ରାମରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା ମଧ୍ୟ କରିଛି । କିନ୍ତୁ ଏତେସବୁ ସତ୍ତ୍ୱେ ବାଲ୍ୟବିବାହକୁ ରୋକାଯାଇ ପାରୁନି ।
ଆଜି ପୁଣିଏକ ବାଲ୍ୟବିବାହ ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ଗୋଧିପଡା ଗ୍ରାମରେ ଚାଲିଥିବା ବେଳେ ଚାଇଲ୍ଡ ଲାଇନ, ପୋଲିସ ଓ ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ପହଞ୍ଚି ଏହାକୁ ରୋକି ପାରିଛନ୍ତି । ଶନିବାର ଶିଶୁ ମଙ୍ଗଳ ସମିତିରେ ନାବାଳିକାକୁ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ତେବେ ବୌଦ୍ଧ ଜିଲ୍ଲାରେ ବାରମ୍ବାର ଏଭଳି ବାଲ୍ୟବିବାହ ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ