ବୌଦ୍ଧ: ବାଲ୍ୟବିବାହ ରୋକିବାକୁ ତଥା ଶିଶୁ ଶ୍ରମିକ ରୋକିବା ପାଇଁ ସରକାର ଅନେକ କଡା ଆଇନ ପ୍ରଣୟନ କରିଛନ୍ତି । ତଥାପି ମଧ୍ୟ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଭଳି ଘଟଣା ଏବେବି ଲୁକ୍କାୟିତ ଭାବରେ ଚାଲୁଛି । ଏଭଳି ପ୍ରଥାକୁ ସମ୍ପୂର୍ଣ୍ଣ ଲୋପ କରିବାକୁ ଅଣ୍ଟା ଭିଡିଛନ୍ତି ଖୋଦ ସିଡିପିଓ ।
ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବିଭିନ୍ନ କାରଣରୁ ଲୋକେ 18 ବର୍ଷରୁ କମ ନାବାଳିକାଙ୍କ ବିବାହ କରିଦେଉଛନ୍ତି । ଏଭଳି ଘଟଣା ଆମ ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ଲୁକ୍କାୟିତ ଭାବରେ ହେଉଥିବାରୁ ଏହାକୁ ରୋକିବାକୁ ସିଡିପିଓ ଚେଷ୍ଟା ଆରମ୍ଭ କରିଛନ୍ତି । ସେ ଏଥିପାଇଁ କିଶୋରୀ ଝିଅ ଓ ମହିଳା ଗୋଷ୍ଠୀଙ୍କ ସହାୟତା ନେଇଛନ୍ତି । ଗତବର୍ଷ ଏଭଳି 3ଟି ତଥା ଚଳିତ ବର୍ଷ ଦୁଇଟି ବାଲ୍ୟବିବାହକୁ ବନ୍ଦ କରିବାରେ ବିଭାଗ ସକ୍ଷମ ହୋଇଛି ।
ତଥାପି ମଧ୍ୟ ଏଭଳି ପ୍ରଥାକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ସେନେଇ କଣ୍ଟାମାଳ ସିଡିପିଓ ବିଭିନ୍ନ ସ୍ତରରେ କମିଟି ଗଠନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ