ବୌଦ୍ଧ: କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ । କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମା ସହିତ ସଂଲଗ୍ନ ହୋଇ ରହିଛି ଖଡଙ୍ଗ ନଦୀ କୂଳରେ ଥିବା ଏହି ପଞ୍ଚାୟତ । ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ଏଠାକାର ଲୋକେ । ସମସ୍ୟାର ତାଲିକା ଲମ୍ବା ହୋଇଥିବା ବେଳେ ସମାଧାନ ଶୂନ । ଏଠାରେ ଥିବା ପଞ୍ଚାୟତର କାର୍ଯ୍ୟାଳୟ ପରିତ୍ୟକ୍ତା ଅବସ୍ଥାରେ ପଡି ରହିଛି । ପଞ୍ଚାୟତ କାର୍ଯ୍ୟାଳୟଟି ଦୀର୍ଘ ବର୍ଷ ହେଲା ଭାଙ୍ଗି ଯାଇଥିବା ବେଳେ ଏପର୍ଯ୍ୟନ୍ତ ନୂଆ କାର୍ଯ୍ୟାଳୟଟିଏ ତିଆରି ହୋଇ ପାରିନାହିଁ । ଫଳରେ ଶୌଚାଳୟକୁ ରୋଷେଇ ଘର ରୂପେ ବ୍ୟବହାର କରାଯାଉଛି । ଏହାଛଡା ପଞ୍ଚାୟତରେ ସାମାଜିକ ସୁରକ୍ଷାକୁ ନେଇ ବ୍ୟାପକ ସମସ୍ୟା ଲାଗିରହିଛି । ଏ ସମ୍ପର୍କରେ ଖୋଦ ସ୍ଥାନୀୟ ସରପଞ୍ଚ ବିଭିନ୍ନ ସମୟରେ ଚେଷ୍ଟା କରୁଥିଲେ ମଧ୍ୟ ବ୍ଲକର କେତେକ ସରକାରୀ ବାବୁଙ୍କ ଅସହଯୋଗ କାରଣରୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ ।
ଏପଟେ ନଦୀକୂଳରେ ଏହି ପଞ୍ଚାୟତ ଥାଇ ମଧ୍ୟ ପାନୀୟ ଜଳ ସମସ୍ୟାରେ ଜର୍ଜରିତ ସ୍ଥାନୀୟ ବାସିନ୍ଦା । ଚିରସ୍ରୋତା ଖଡଙ୍ଗ ନଦୀ ବନ୍ଧ ଯୋଜନା ପ୍ରସ୍ତାବ ଅଟକି ରହିଥିବା ବେଳେ ଖୁଣ୍ଟିଗୋରା ସମେତ ନାରାୟଣପ୍ରସାଦ, ଉମା,ବରଗାଁ, ଲମ୍ବସରୀ, ଖଲିଆପାଲି ଭଳି ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତର ଚାଷୀ ଜଳସେଚନରୁ ବଞ୍ଚିତ ରହୁଛନ୍ତି । ଅନେକ ସମୟରେ ଖଡଙ୍ଗ ନଦୀବନ୍ଧ ଯୋଜନା ନିମନ୍ତେ ପ୍ରତିନିଧି ଦଳ ପରିଦର୍ଶନ କରି ବିଭିନ୍ନ ପ୍ରସ୍ତାବ ଦେଇ ଫେରୁଛନ୍ତି । କିନ୍ତୁ ଏହାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ।
ଜିଲ୍ଲାପାଳଙ୍କ ଖୁଣ୍ଟିଗୋରା ପଞ୍ଚାୟତ ଗସ୍ତ ସମୟରେ ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିନ୍ତୁ ବ୍ଲକର ସରକାରୀ ବାବୁ ଓ ଯନ୍ତ୍ରୀ ଖୁଣ୍ଟିଗୋରା ପଞ୍ଚାୟତର ବିକାଶ ନେଇ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି । ଖୁଣ୍ଟିଗୋରା ପଞ୍ଚାୟତର ବହୁବିଧ ସମସ୍ୟାର ସମାଧାନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଖୁଣ୍ଟିଗୋରା ପଞ୍ଚାୟତରେ ପର୍ଯ୍ୟଟନ ର ଏକ ବିରାଟ ସମ୍ଭାବନା ରହିଛି । ଖଡଙ୍ଗ ନଦୀ କୂଳରେ ଅବସ୍ଥିତ ଧବଳେଶ୍ବର ପୀଠର ମାହାତ୍ମ୍ୟ ଯୋଗୁଁ ସାରା ରାଜ୍ୟର ଶ୍ରଦ୍ଧାଳୁ ଓ ପ୍ରକୃତି ପ୍ରେମୀ ଏଠାକୁ ଟାଣି ହୋଇ ଆସିଥାନ୍ତି । ବର୍ତ୍ତମାନ ଖଡଙ୍ଗ ନଦୀକୂଳକୁ ସୁରକ୍ଷା ପାଇଁ ଅତି ସୁନ୍ଦର ଭାବରେ ପଥର ପ୍ୟାକିଂ କରାଯାଇଛି । ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୌଦ୍ଧ ଜିଲ୍ଲାର ମଡେଲ ରୂପେ ପରିଚିତ । କାରଣ ଏଠାରେ ସ୍ବାସ୍ଥ୍ୟ ସେବା ନିମନ୍ତେ ପାଞ୍ଚଟି ସୀମାନ୍ତ ଜିଲ୍ଲାର ଅଧିବାସୀ ନିର୍ଭରଶୀଳ ।
ଇଟିଭି ଭାରତ, ବୌଦ୍ଧ