ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଥିବା ଦୈନିକ ବଜାରକୁ ନେଇ ଦେଖାଦେଇଛି ସମସ୍ୟା । ଦୟନୀୟ ଅବସ୍ଥାରେ ବଜାରର ଭାଗ୍ୟ ରହିଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଜିଲ୍ଲା ସଦର ମହକୁମା ରେ ରହିଥିବା ବେଳେ ଶତାଧିକ ବର୍ଷରୁ ରହିଛି ଦୈନିକ ବଜାର । ପରବର୍ତ୍ତୀ ସମୟରେ ଏହି ବଜାରର ନବୀକରଣ କରାଯାଇ ଏହାକୁ ଗଣେଶ ବଜାର ନାମରେ ନାମିତ କରାଯାଇଛି ।
![ଶ୍ରୀହୀନ ଅବସ୍ଥାରେ ବୌଦ୍ଧ ଦୈନିକ ବଜାର](https://etvbharatimages.akamaized.net/etvbharat/prod-images/od-boud-01-satya-market-avb-od10020_31012023165855_3101f_1675164535_541.jpg)
ତେବେ ଗତ ପ୍ରାୟ ତିନି ବର୍ଷ ତଳେ କରୋନା ମହାମାରୀ ଯୋଗୁଁ ଉକ୍ତ ଦୈନିକ ବଜାରକୁ ବୁଦ୍ଧ ପାର୍କ ନିକଟସ୍ଥ ଭୈରବୀ ଖେଳ ପଡିଆକୁ ଅସ୍ଥାୟୀ ଭାବରେ ଉଠାଇ ନିଆଗଲା । ସେହିଦିନଠାରୁ ଦୈନିକ ବଜାରଟି ଶ୍ରୀହୀନ ହୋଇ ରହିଗଲା । ବର୍ତ୍ତମାନ ଦୈନିକ ବଜାର ବସୁଥିବା ସ୍ଥାନରେ ପୂର୍ବରୁ ଖେଳପଡିଆ ଥିବା ବେଳେ ବଜାର ଦ୍ବାରା ଖେଳରେ ମଧ୍ୟ ବାଧା ଉପୁଜୁଛି । ବଜାରର ସ୍ଥାନକୁ ନେଇ କେତେକ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ମତାନ୍ତର ରହିଥିବା ବେଳେ ବର୍ତ୍ତମାନ ନବ ନିର୍ମିତ ଆଦର୍ଶ କୃଷି ବଜାରର ଭାଗ୍ୟ କଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ । କାରଣ ପ୍ରାୟ ଅଠର କୋଟି ଟଙ୍କାରେ ନିର୍ମିତ ଆଦର୍ଶ କୃଷି ବଜାରରେ ପ୍ରତ୍ୟେକ ରବିବାର କେବଳ ହସ୍ତତନ୍ତ ବଜାର ବସୁଥିବା ବେଳେ ଅନ୍ୟ ସବୁଦିନ ଖାଲି ପଡୁଛି ।
![ଶ୍ରୀହୀନ ଅବସ୍ଥାରେ ବୌଦ୍ଧ ଦୈନିକ ବଜାର](https://etvbharatimages.akamaized.net/etvbharat/prod-images/od-boud-01-satya-market-avb-od10020_31012023165855_3101f_1675164535_754.jpg)
ଗୋଟିଏ ପଟରେ ଗଣେଶ ବଜାରରୁ ଦୈନିକ ବଜାର ସ୍ଥାନାନ୍ତର ପରେ ଉକ୍ତ ବଜାରଟି ସମ୍ପୂର୍ଣ୍ଣ ଖାଁଖାଁ ରହୁଥିବା ବେଳେ ପୌର ପ୍ରଶାସନ ବୈଠକ ବୈଠକ କରୁଥିଲେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ବୌଦ୍ଧର ଦୈନିକ ବଜାର ପାଇଁ ତିନୋଟି ସ୍ଥାନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ତିନୋଟି ସ୍ଥାନର ସପକ୍ଷରେ ଉଣାଅଧିକେ ମତ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଆଜି ସ୍ଥାନୀୟ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ଷାଠିଏ ଜଣ ବ୍ୟବସାୟୀ ମିଶି ବୌଦ୍ଧ ବ୍ୟବସାୟୀ ମହାସଂଘ ନାମରେ ସଂଗଠନ ପ୍ରତିଷ୍ଠା କରିଥିବା ସୂଚନା ମିଳିଛି । ବ୍ୟବସାୟୀ ମହାସଂଘ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ସମସ୍ତଙ୍କ ନଜର ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଦୈନିକ ବଜାର କୁନେଇ ଲାଗିରହିଛି ଛକାପଞ୍ଝା । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଜାର ସ୍ଥାନାନ୍ତର ହୋଇଥିବା ବେଳେ ବର୍ତ୍ତମାନ ନବ ନିର୍ମିତ କୃଷକ ବଜାର ଅଚଳ ହୋଇ ପଡ଼ି ରହିଛି ।
ଇଟିଭି ଭାରତ, ବୌଦ୍ଧ