ବୌଦ୍ଧ: ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ପୂରି ରହିଛି ଅନେକ ସାଂସ୍କୃତିକ ବିଭବ । ନିଆରା ପୂଜା ପରମ୍ପରା ସହିତ ଭିନ୍ନ ଭିନ୍ନ ସଂପ୍ରଦାୟରେ ରହିଛି ବିଭିନ୍ନ ପ୍ରକାରର ସ୍ଥାନୀୟ ପରମ୍ପରା । ତନ୍ମଧ୍ୟରୁ ଟୁକି ବ୍ରତ ଅନ୍ୟତମ । ବହୁ ବର୍ଷରୁ ପ୍ରଚଳିତ ଏହି ପରମ୍ପରା ଅତ୍ୟନ୍ତ ନିଆରା ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଜାତିଙ୍କ ମଧ୍ୟରୁ ମୋଚି ନାମକ ସଂପ୍ରଦାୟ ପ୍ରାଚୀନ କାଳରୁ ବାସ କରିଆସୁଛନ୍ତି । ଏମାନଙ୍କ ମଧ୍ୟରେ ଆଯ୍ୟୋତ୍ତର ସଂପ୍ରଦାୟରୁ ବ୍ରତର ବିଧି ବ୍ୟବସ୍ଥା ରହିଛି । କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଏହି ବ୍ରତ କେବଳ କୁମାରୀ କନ୍ୟା ବା ଝିଅମାନେ ହିଁ କରିଥାଆନ୍ତି । କାରଣ ପରମ୍ପରା ଅନୁଯାୟୀ ଯଦି କୌଣସି ଝିଅ ଏହି ବ୍ରତ ନକରେ, ତେବେ ତାକୁ କୌଣସି ପୁଅ ବିବାହ କରିବେ ନାହିଁ । ତେଣୁ ଏହି ବ୍ରତର ନାମ ଟୁକି ବ୍ରତ ବୋଲି ରଖାଯାଇଛି ।
ତେବେ ତିନିଦିନ ବ୍ୟାପୀ ଏହି ବ୍ରତ ଅତି ଧୁମଧାମରେ ପାଳନ କରାଯାଏ । ଯେପରି ଏକ ବିବାହରେ ବାଜା ବାଜି ନାଚଗୀତ କରାଯାଇଥାଏ । ସେହିପରେ ଏହି ବ୍ରତରେ ମଧ୍ୟ ସମସ୍ତ ରୀତିନୀତି ପାଳନ କରାଯାଇଥାଏ । ମୁଣ୍ଡରେ ବୃକ୍ଷ ଡାଳ ଓ ହଳଦୀ ପ୍ରଲେପ ସୁନିଶ୍ଚିତ କରାଯାଇଥାଏ । କୁମାରୀ ଝିଅଙ୍କୁ ସୁନ୍ଦର ବେଶରେ ସଜ୍ଜିତ କରାଯାଇ ଢୋଲ, ତାସା, ନିଷାଣ ବାଦ୍ୟ ମଧ୍ୟରେ ଏକ ପଟୁଆର କରାଯାଇ ନଦୀପଠା ପର୍ଯ୍ୟନ୍ତ ନିଆଯାଏ । ଏହାପରେ ଚତୁର୍ଥ ଦିନ ଅଥବା ଚଉଠି ଦିନ ସମସ୍ତ ବ୍ରତ ସାମଗ୍ରୀ ନଦୀଗର୍ଭରେ ବିସର୍ଜନ କରାଯାଏ । ତେବେ ସୋମବାର ଏହି ଟୁକି ବ୍ରତର ସମାପନ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ