ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଏହାର ଲୋଗୋକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ବିଜେପି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ମାମଲା ଦାଣ୍ଡରେ ପଡି ହାଟରେ ଗଡିଥିଲା । ବର୍ତ୍ତମାନ ପୁଣି ଆବାସ ଯୋଜନାର ଲୋଗୋକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରୀୟ ଯୋଜନା ହୋଇଥିବାବେଳେ ଏଥିରେ ରାଜ୍ୟ ସରକାରଙ୍କ ଲୋଗୋକୁ ବ୍ୟବହାର କରାଯାଉଥିବା କଥା ଅଭିଯୋଗ କରିଛି ବିଜେପି ।
ଆଜି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଦଳ । କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ଦଳ । କଣ୍ଟାମାଳ ବ୍ଲକ ଅଫିସ ସାମ୍ନାରେ ବିଜେପି ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ କଣ୍ଟାମାଳ ଥାନାରେ ଏତଲା ଦାଏର କରିଥିଲେ ।
ସେହିପରି ବୌଦ୍ଧ ବ୍ଲକରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଓ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋକୁ ନେଇ ବିଜେପି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ