ବୌଦ୍ଧ: ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ଗିରଫଦାରୀ ସହ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ନୟାଗଡ଼ର ତାତି ଆଜି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ନୟାଗଡ଼ ଜିଲ୍ଲାର ପାଞ୍ଚ ବର୍ଷର କୁନି ଝିଅ ପରୀ ହତ୍ୟାକାଣ୍ଡରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଜି ବୌଦ୍ଧ ଜିଲ୍ଲା ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।


ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ସହ ଏହି ଅମାନବୀୟ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା । ସେହିପରି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ ସହିତ ତାଙ୍କ ଇସ୍ତଫା ଦାବି କରାଯାଇଥିଲା । ଏହି ଅବସରରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ