ବୌଦ୍ଧ: ଜିଲ୍ଲା ଗଠନ ପରେ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଜବାହର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ କବଡେନ ରାମସେ ହଷ୍ଟେଲରେ ଦୀର୍ଘ ଦିନ ଏହି ଶିକ୍ଷାନୁଷ୍ଠାନ କାର୍ଯ୍ୟ କରିବା ପରେ ବଘିଆପଡା ନିକଟସ୍ଥ ଗୌଡଦେଇ ନିକଟରେ ପଚାଶ ଏକରରୁ ଉର୍ଦ୍ଧ୍ବ ସ୍ଥାନରେ ଜବାହର ନବୋଦୟ ବିଦ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲା । କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ପାନୀୟ ଜଳ ସମସ୍ୟା ପୂର୍ବବତ୍ ଲାଗିରହିଛି । ସେହିପରି ଶିକ୍ଷକ ଅଭାବ ମଧ୍ୟ ରହିଛି ବିଦ୍ୟାଳୟରେ । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଦାବି ଉଠିଛି ।
ଏଠି ଫ୍ଲୋରାଇଡ ଓ ଆଲକାଲାଇନ ଯୁକ୍ତ ଦୂଷିତ ଜଳ ପାଇଁ ବିଭିନ୍ନ ରୋଗର ଭୟ ରହିଛି । ଫଳରେ ପିଇବା ପାଣି ସମସ୍ୟା ଦୂରୀଭୂତ କରିବା ପାଇଁ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ପ୍ରଣାଳୀ (ଆରଓ ପ୍ଲାଣ୍ଟ)କୁ ବ୍ୟବହାର କରାଯାଉଛି । ମାତ୍ର ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଣ କରାଯାଇପାରୁ ନାହିଁ । ଅଧିକ ପ୍ଲାଣ୍ଟ ସ୍ଥାପନ ସହ ଅନ୍ୟ ଉପାୟରେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରାଯାଉଛି ।
ଆବଶ୍ୟକତା ଅନୁସାରେ ପାଣି ଏଠାରେ ଉପଲବ୍ଧ ହୋଇପାରୁନଥିବାରୁ ବିଭିନ୍ନ ସମୟରେ ପାଣିକୁ ନେଇ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ଏତଦବ୍ୟତୀତ ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅନବରତ ବିଜୁଳି ସେବା ମଧ୍ୟ ଠିକରେ ମିଳୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।ପାନୀୟ ଜଳର ସମସ୍ୟାକୁ ବିଦ୍ୟାଳୟର ଅଧ୍ୟକ୍ଷ ସ୍ବୀକାର କରିବା ସହ ଆଗାମୀ ଦିନରେ ଏକ ମେଗା ପ୍ରୋଜେକ୍ଟ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ