ବୌଦ୍ଧ: ଦୁର୍ଦ୍ଦିନରେ କଳାକାରଙ୍କ ବଂଶଧର । ଦିନେ କଳାକୁ ନେଇ ସାରା ଅଞ୍ଚଳରେ ଖୁବ ପ୍ରସିଦ୍ଧ ଅର୍ଜନ କରିଥିବା କଳାକାରଙ୍କ ଦାୟଦ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ସବୁ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ଭଳି ମନେହେଉଥିବା ବେଳେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି କଳାକାର ବଂଶଜ ।
ଅନ୍ଧକାର ମଧ୍ୟରେ ବର୍ଷ ପରେ ବର୍ଷ ବିତିଗଲାଣି । ସରକାରୀ ଯୋଜନା ଠାରୁ ଢେର ଦୂରରେ କଳାକାରଙ୍କ ପରବର୍ତ୍ତୀ ବଂଶଜ । ମୁଣ୍ଡ ଉପରେ ଖଣ୍ଡେ ଭଲ ଛାଉଣୀ ନଥିବାରୁ ଜରିପାଲ ଟଣା ଭଙ୍ଗା ଦଦରା ଘରେ ଜୀବନ ବିତୁଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏକଦା ଦଣ୍ଡ ଯାତ୍ରାରେ ଷୋହଳ ସୁଆଙ୍ଗକୁ ନେଇ ଅନେକ କାବ୍ୟ କବିତା ରଚନା କରି ପ୍ରସିଦ୍ଧି ପାଇଥିବା କଳାକାରଙ୍କ ପରବର୍ତ୍ତୀ ଦାୟାଦ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।
ଗଡଜାତ ଶାସନ କାଳରେ ଏସବୁ କଳାକାରଙ୍କୁ ଦରବାରରେ ଖୁବ ପ୍ରଶଂସା ମିଳୁଥିଲା । ଏହି ଦଣ୍ଡ ଯାତ୍ରାର ବିଭିନ୍ନ ସୁଆଙ୍ଗ କୁନେଇ ଦଣ୍ଡକୁ ନେଇ ଅନେକ କବି କଳାକାର ବହୁ କାବ୍ୟ କବିତା ରଚନା କରିଛନ୍ତି । ଗଡଜାତ ଅଞ୍ଚଳ ବୌଦ୍ଧରେ ଦଣ୍ଡ ନାଚର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବା ବେଳେ ଅତୀତରେ ବୌଦ୍ଧର ଅର୍ଜୁନ ପାଢ଼ୀଙ୍କ ରଚିତ ଦଣ୍ଡୁଆ ଭାଇ, ବିଳାସପୁରର ସାଧବ କ୍ଷେତୀ, ମହୁଲବୁରୀର ଶ୍ୟାମଘନ ମହାନନ୍ଦିଆ ଓ ରାଗଡର ବସନ୍ତ ଯୋଷୀ ଦଣ୍ଡକୁ ନେଇ ଅନେକ କାବ୍ୟ କବିତା ରଚନା କରିଥିଲେ ।
ମହୁଲବୁରୀ ଗ୍ରାମର ସ୍ବର୍ଗତ ଶ୍ୟାମଘନ ମହାନନ୍ଦିଆ ଦଣ୍ଡ ଯାତ୍ରାରେ ବର୍ତ୍ତମାନ ମଧ୍ୟ ଏକ ପରିଚିତ ନାମ ହୋଇ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ କାବ୍ୟକବିତା ଦଣ୍ଡ ଗୀତରେ ଉପଯୋଗ ହୋଇଆସୁଛି । ତେବେ ଅତ୍ୟନ୍ତ ଦୁଃଖର କଥା ଶ୍ୟାମଘନଙ୍କ ପରବର୍ତ୍ତୀ ବଂଶଜ ଅତ୍ୟନ୍ତ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ମହୁଲବୁରୀ ଗ୍ରାମ ନିକଟରେ ଏକ ଜରିପାଲ ଟଣା ଭଙ୍ଗା ଦଦରା ଘରେ ଶ୍ୟାମଘନଙ୍କ ନାତି ଛ ପ୍ରାଣୀ କୁଟୁମ୍ବ ସହିତ ବସବାସ କରୁଛନ୍ତି । ଛ ଜଣଙ୍କ ମଧ୍ୟରୁ ତିନି ଜଣ ସରକାରୀ ଚାଉଳ ମୁଠାଏ ପାଉଥିବା ବେଳେ ଅନ୍ୟ ତିନିଜଣ ପାଇପାରୁ ନାହାନ୍ତି । ଫଳରେ ପରିବାର ଅନେକ ସମୟରେ ଉପାସରେ ରହିବା ପରିସ୍ଥିତି ଉପୁଜୁଛି । ଅନ୍ଧକାର ମଧ୍ୟରେ ବର୍ଷ ବର୍ଷ ଧରି ଏହି ପରିବାର ସରକାରୀ ସହାୟତା ଅପେକ୍ଷାକୁ ଅନାଇ ବସିଛନ୍ତି ।
ସେହିଭଳି ବୌଦ୍ଧ ଜିଲ୍ଲା ଉମା ପଞ୍ଚାୟତ ସଦର ମହକୁମା ଗ୍ରାମ ପୋଖରୀ ହୁଡା ତଳେ ଜମି ଭୂମିହୀନ ଧୋବଣୀ ପାଣ୍ଡେ ପରିବାରର ଦଶଜଣ ସଦସ୍ୟଙ୍କୁ ନେଇ ବସବାସ କରୁଛନ୍ତି । ଘର ଅଭାବରୁ ପରିବାରଟି ବଳଦ, ଛେଳିଙ୍କ ଗହଣରେ ରହିବାକୁ ବାଧ୍ୟ ହେଉଥିବା ବେଳେ ଖୋଲା ଆକାଶ ତଳେ ରନ୍ଧା ବଢା ସବୁକିଛି କାର୍ଯ୍ୟ ସମ୍ପାଦନ ହୋଇଥାଏ । ଏମାନଙ୍କ ପୂର୍ବଜ ମଧ୍ୟ ଦଣ୍ଡ ଯାତ୍ରାର କଳାକାର ଥିବା ବେଳେ ବର୍ତ୍ତମାନ ଏମାନଙ୍କ ଦୁଃଖ କହିଲେ ନସରେ । ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପହଞ୍ଚି ଏଭଳି ଅସହାୟ ତଥା ଦୁସ୍ଥ ପରିବାରଙ୍କୁ ସହଯୋଗ କରୁଥିବାରୁ ଉକ୍ତ ଦୁଇ କଳାକାରଙ୍କ ପରିବାର ମଧ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ