ବୌଦ୍ଧ: ପଞ୍ଚଧର୍ମର ମିଳନ ସ୍ଥଳୀ ବୌଦ୍ଧ ଜିଲ୍ଲାରେ ରହିଛି ଅନେକ ଐତିହ୍ୟ ପୂର୍ଣ୍ଣ ମନ୍ଦିର । ଜିଲ୍ଲାର ଗନ୍ଧରାଡିର ହରିହରଙ୍କ ଯୁଗ୍ମ ମନ୍ଦିର ସାରା ବିଶ୍ବରେ ଏକ ଅନନ୍ୟ ଉଦାହରଣ ରୂପେ ଆଜି ମଧ୍ୟ ଦଣ୍ଡାୟମାନ । ଏହା ସହିତ ବୌଦ୍ଧ ସହର ମଧ୍ୟରେ ଥିବା ସୋମବଂଶୀ ଶାସକଙ୍କ କୃତିତ୍ବ ରାମନାଥ ମନ୍ଦିର ସମୂହ ଓଡିଶା ମନ୍ଦିର ସ୍ଥାପତ୍ୟର ଅନବଦ୍ୟ କୃତିତ୍ବ । ଏହି ରାମନାଥ ମନ୍ଦିର ପରିସରରେ ରହିଛି ଏକ ଅଧାଗଢା ମନ୍ଦିର ।
ସୂଚନା ମୁତାବକ ଉକ୍ତ ମନ୍ଦିର ଥିଲା ରାମନାଥଙ୍କ ମୁଖ୍ୟ ମନ୍ଦିର । ନବମ ଶତାବ୍ଦୀରେ ନିର୍ମିତ ଏହି ମୁଖ୍ୟ ମନ୍ଦିରଟି 1936 ବେଳକୁ ଦୁର୍ବଳ ହୋଇପଡିବାରୁ ମନ୍ଦିରକୁ ଭାଙ୍ଗି ସେଠାରେ ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ବୌଦ୍ଧ ରାଜା ନାରାୟଣ ପ୍ରସାଦ ଦେବ କାର୍ଯ୍ୟ ଆରମ୍ଭ କଲେ । ବିଭିନ୍ନ ସ୍ଥାନରୁ ସ୍ବତନ୍ତ୍ର ପଥର କାରୀଗରଙ୍କୁ ଡକାଇ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ମନ୍ଦିର ଅଧାଗଢା ବେଳକୁ ଦେଶ ସ୍ବାଧୀନ ସହିତ ରାଜାଙ୍କ କ୍ଷମତା ଚାଲିଗଲା । ଫଳରେ ମନ୍ଦିରଟି ଅଧାଗଢା ହୋଇ ରହିଗଲା ।
ତେବେ ଆଜି ମଧ୍ୟ ଉକ୍ତ ଅଧାଗଢା ମନ୍ଦିରର କାରୁକାର୍ଯ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଏପଟେ ବୌଦ୍ଧ ଜିଲ୍ଲାପାଳ ଆସି ଏହି ମନ୍ଦିର ପରିଦର୍ଶନ କରିଛନ୍ତି । ଆଉ ଏହି ମନ୍ଦିର ପୁନଃ ନିର୍ମାଣ କରାଗଲେ ଏହା ନିଶ୍ଚୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ