ବୌଦ୍ଧ: ଜିଲ୍ଲାରେ ଅପମିଶ୍ରଣ ଖାଦ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ସାଙ୍ଗକୁ ରଙ୍ଗ ଓ ଅନ୍ୟାନ୍ୟ କେମିକାଲର ବ୍ୟବହାର ଯୋଗୁଁ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ପ୍ରାୟ ସମସ୍ତ ସ୍ଥାନରେ ଥିବା ହାଟ ବଜାରରେ ଅପମିଶ୍ରଣ ଖାଦ୍ୟ ବିକ୍ରି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଭାବରେ ରାସ୍ତା କଡରେ ଥିବା ଢେଲା ଗୁଡିକରେ ଏଭଳି ନିମ୍ନ ମାନର ଖାଦ୍ୟ ସବୁଠାରୁ ବେଶି ଚିନ୍ତା ବଢାଉଛି ।
ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କେବଳ ଔପଚାରିକତା ଦୃଷ୍ଟିରୁ ଚଳିତ ବର୍ଷ କେବଳ ଚାରୋଟି ମକଦ୍ଦମା କରି ବିଭାଗ ଚୁପ ବସିଛି । ଏହାଛଡା ଜିଲ୍ଲାର 541 ଜଣ ବ୍ୟବସାୟୀଙ୍କୁ ରେଜେଷ୍ଟ୍ରେସନ କରାଯାଇଥିବା ବେଳେ ଆହୁରି ଅନେକ ବ୍ୟବସାୟୀ ପଞ୍ଜିକରଣ ହୋଇନାହାନ୍ତି । ସେପଟେ ବର୍ତ୍ତମାନ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଛତୁଆକୁ ନେଇ ଆସିଛି ସାଙ୍ଘାତିକ ତଥ୍ୟ । ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଛତୁଆ ଉତ୍ପାଦନ କେନ୍ଦ୍ରରୁ ନିମ୍ନ ମାନର ଛତୁଆ ଉତ୍ପାଦନ ହେଉଥିବା ନେଇ ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ