ବୌଦ୍ଧ: ଶୋକରେ ବୁଡିଲା ସମଗ୍ର ବ୍ଲକ କାର୍ଯ୍ୟାଳୟ । ଜଣେ ସୁଦକ୍ଷ ଅଧିକାରୀଙ୍କୁ କୋରୋନାରେ ହରାଇବା ପରେ ଆଜି(ସୋମବାର) ସମସ୍ତେ ବାକଶୂନ୍ୟ ହୋଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ପ୍ରାଣଘାତୀ ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହରୀ । ବୌଦ୍ଧ ଜିଲ୍ଲାରେ ପ୍ରାୟ ପାଞ୍ଚ ହଜାର ଲୋକ ଆକ୍ରାନ୍ତ ହେବାକୁ ବସିଥିବା ବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରେ ଲାଗିଛି ।
ବୌଦ୍ଧ କୋଭିଡ ସେଣ୍ଟର ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ପ୍ରତ୍ୟେକ ଦିନ ମୃତ୍ୟୁ ସୂଚନା ମିଳୁଥିବା ବେଳେ ରବିବାର ସନ୍ଧ୍ୟାରେ କଣ୍ଟାମାଳ ବ୍ଲକର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ପୁଣି ଥରେ ସେହି ବ୍ଲକର ଆଉ ଜଣଙ୍କ ମୃତ୍ୟୁ ଘଟିଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏହି ମହାମାରୀ ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଜନସଚେତନତା ଅଭାବରୁ ଏହା ଆହୁରି ଦ୍ରୃତ ଗତିରେ ମାଡି ଚାଲିଛି ।
ସେପଟେ ରବିବାର ବୌଦ୍ଧ ବ୍ଲକର ଆକାଉଣ୍ଟାଣ୍ଟଙ୍କ କୋରୋନାର ମୃତ୍ୟୁ ଘଟିଛି । ଏନେଇ ସୋମବାର ବୌଦ୍ଧ ବ୍ଲକ ଠାରେ ନୀରବ ପ୍ରାର୍ଥନା କରାଯାଇଛି। ବୌଦ୍ଧ ବିଡ଼ିଓଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଓ ଯନ୍ତ୍ରୀ ଉପସ୍ଥିତ ରହି ସ୍ବର୍ଗତ ଅଧିକାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ