ବୌଦ୍ଧ: ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏସ୍ପି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି କ୍ରମରେ ବିଜେପି କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରା ବାହାରି ବୌଦ୍ଧ ସହର ପରିକ୍ରମା କରିଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଧସ୍ତାଧସ୍ତିରେ ବହୁ ବିଜେପି କର୍ମୀ ଆହତ ମଧ୍ୟ ହୋଇଛନ୍ତି ।
ସେପଟେ ବୌଦ୍ଧ ମାରୁତି ସେନା ପକ୍ଷରୁ ମଧ୍ୟ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ତଥା ଦୋଷୀକୁ ଫାଶୀ ଦଣ୍ଡ ପାଇଁ ଦାବି କରାଯାଇଛି । ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ପୋଲିସ ତଦନ୍ତକୁ ବାଟବଣା କରୁଛି ଏଥିପାଇଁ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ମଧ୍ୟ ଏହି ବକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା କୁନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଏହି ଅବସରରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପଟେ ମମିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ରୁଦ୍ର ଭୈରବୀ କ୍ଲବ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ