ବୌଦ୍ଧ: ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ଜୋରସୋର ପ୍ରଚାର ଅଭିଯାନ ଚାଲିଛି । ନେତା ଓ କର୍ମୀ ଗାଁ କୁ ଗାଁ ତଥା ଘରକୁଘର ଯାଇ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ବିଜେପି ଦଳ ପକ୍ଷରୁ କଣ୍ଟାମାଳ ଆସନ ଅନ୍ତର୍ଗତ ୩୬ ଗୋଟି ପଞ୍ଚାୟତ ସ୍ତରରେ ପ୍ରଚାରକୁ ଯୋରଦାର କରାଯାଇଛି।
କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ନିଜ ସମର୍ଥକଙ୍କ ଗହଣରେ ପ୍ରତ୍ୟେକ ଦିନ ବିଭିନ୍ନ ଗାଁ କୁ ଯାଇ ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜ ପାଇଁ ଭୋଟ ମାଗୁଛନ୍ତି। ଏହି ଆସନରେ ଶ୍ରୀ ଡାଙ୍ଗଙ୍କ ଲୋକପ୍ରିୟତା ଓ ନିଜସ୍ୱ ସଂଗଠନ ଥିବାରୁ ଏଠାରେ ସେ ନିର୍ବାଚନ ମଇଦାନରେ ମୁଖ୍ୟ ଦାବିଦାର ଅଛନ୍ତି । ସେପଟେ ବିଜେପିର ପ୍ରତିପକ୍ଷରେ ବିଜେଡିର ମହିଧର ରଣା କିମ୍ବା ସ୍ବାଧୀନ ପ୍ରାର୍ଥୀ ଶେଷ ମେହେରଙ୍କ ସହ ଲଢେ଼ଇ ହେଉଛି ତାହା ଦେଖିବାର ବାକି ରହିଲା।
ସେହିପରି କଂଗ୍ରେସର ପ୍ରଶାନ୍ତ ସାହୁ ଭୋଟ ଗଣିତକୁ ଓଲଟପାଲଟ କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ଶ୍ରୀ ଡାଙ୍ଗଙ୍କ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ଖାରବେଳ ସ୍ବାଇଁ ମଧ୍ୟ କଣ୍ଟାମାଳର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ