ବୌଦ୍ଧ: ଆବାସ ଗୃହ ପାଇ ମଧ୍ୟ ହିତାଧିକାରୀଙ୍କଠାରୁ ଚୋରି ହୋଇଯାଇଛି ଘର । ଫଳରେ ବର୍ଷା ଦିନରେ ଦୁ୍ଃଖରେ ଦିନ କାଟୁଛନ୍ତି ହିତାଧିକାରୀଙ୍କ ପରିବାର । ଘର ଖଣ୍ଡିଏ ନ ପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜରିପାଲ ଟଣା ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ହିତାଧିକାରୀ । ସେହିପରି ଜଣେ ଅସହାୟ ଯୁବତୀ କୌଣସି ସରକାରୀ ଯୋଜନାରେ ସାମିଲ ହୋଇପାରି ନଥିବା ଭଳି ଅଭାବନୀୟ ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିଛି। ତାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରି ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ବାସହରା ହିତାଧିକାରୀଙ୍କ ପରିବାର ପକ୍କାଘର ଅଭାବରୁ ଏକ ଜରିପାଲ ଟଣା ଭଙ୍ଗା ଦଦରା ଘରେ ବାଧ୍ୟ ହୋଇ ରହୁଛନ୍ତି । ସେପଟେ ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଜଣେ ଅସହାୟ ଯୁବତୀଙ୍କ ପାଇଁ ସବୁ ଯୋଜନା ଅପହଞ୍ଚ ହୋଇ ରହିଥିବା ସୂଚନା ମିଳିଛି । ସରକାର ଗରିବ ଅସହାୟଙ୍କ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ବିଭିନ୍ନ ସମୟରେ ଏସବୁ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଚଞ୍ଚକତା ହେଉଥିବା ଘଟଣା ସମ୍ମୁଖକୁ ଆସୁଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ମଧ୍ୟ ଗରିବ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରିର ଏକ ବଡ଼ ରାକେଟ କାମ କରୁଥିବା ଜଣାପଡିଛି ।
ଏହି ଦୁର୍ନୀତିର ଚେର ପଞ୍ଚାୟତ ଠାରୁ ନେଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି । ଆଉ ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ହୋଇଥିବା ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖମାରସାହିର ଗରିବ ଦିନ ମଜୁରିଆ ଘାଷିରାମ ପ୍ରଧାନ ନିଜ ଚାରି ପ୍ରାଣୀ କୁଟୁମ୍ବ ସହିତ ବସବାସ କରନ୍ତି । ନିଜର ବୋଲି ଭଲ ଘର ଖଣ୍ଡେ ନଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ସରକାରଙ୍କ ପକ୍ଷରୁ ମିଳିଥିଲା କିନ୍ତୁ ଉକ୍ତ ଘରଟି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରି ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କ ଘରଟିକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଫଳରେ ବର୍ତ୍ତମାନ ବର୍ଷା ଋତୁରେ ଘାଷିରାମଙ୍କ ପରିବାର ଖୋଲା ଆକାଶ ତଳେ ଜରି ପାଲ ତଳେ ଜୀବନ ବିତାଉଛନ୍ତି ।
ଏହା ବି ପଢନ୍ତୁ...ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, କଂଗ୍ରେସ ପକ୍ଷରୁ ପିପିଲିରେ ଧାରଣା
ଏ ସମ୍ପର୍କରେ ଘାଷିରାମ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହିପରି ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତୀ ଗ୍ରାମର ଜଣେ ଅସହାୟ ଯୁବତୀ ସରକାରଙ୍କ ସମସ୍ତ ଯୋଜନାରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାପାଳଙ୍କୁ କାନ୍ଦି କାନ୍ଦି ଦୁଃଖ ଜଣାଇବା ପରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ତୁରନ୍ତ ଘଟଣାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଉଭୟ ଘାଷିରାମ ଓ ସନ୍ତୋଷିନୀଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ