ବୌଦ୍ଧ: ବିଜୁବାବୁଙ୍କ ଅତିପ୍ରିୟ ବାଉଁଶୁଣୀ ବଙ୍ଗଳା ବୌଦ୍ଧ ଜିଲ୍ଲାକୁ ଦେଇଛି ନୂଆ ପରିଚୟ । ହେଲେ ଆଜି ଏହି ବଙ୍ଗଳା ଅବଲୁପ୍ତର ଦ୍ବାର ଦେଶରେ । ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅତିପ୍ରିୟ ଏହି ବଙ୍ଗଳାଟି ବର୍ତ୍ତମାନ ଅସାମାଜିକ କାର୍ଯ୍ୟ କଳାପର କେନ୍ଦ୍ରସ୍ଥଳ ପାଲଟିଯାଇଛି ।
ବୌଦ୍ଧ ଜିଲ୍ଲା ବାଉଁଶୁଣୀର ବାଘନଦୀ କୂଳରେ ଅତ୍ୟନ୍ତ ମନୋରମ ପୂର୍ଣ୍ଣ ସ୍ଥାନରେ ଶତାଧିକ ବର୍ଷରୁ ନିର୍ମାଣ ହୋଇଥିଲା ଡାକ ବଙ୍ଗଳା ।ବୌଦ୍ଧ ଗଡଜାତର ମହାନଦୀ କୂଳେ କୂଳେ ପ୍ରତ୍ୟେକ ସାତ କୋଶରେ ଏଭଳି ଡାକ ବଙ୍ଗଳା ନିର୍ମାଣ ହୋଇଥିବାରୁ ଏହାକୁ କେତେକ ସାତକୋଶିଆ ବଙ୍ଗଳା ମଧ୍ୟ କହିଥାନ୍ତି । ରାଜା ମହାରାଜା ଓ ବ୍ରିଟିଶ ଅଧିକାରୀଙ୍କ ପ୍ରଥମ ପସନ୍ଦ ଥିଲା ଏହି ବାଉଁଶୁଣୀ ଡାକ ବଙ୍ଗଳା ।ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଏହି ସ୍ଥାନର ଆକର୍ଷଣ ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତିପ୍ରିୟ ବଙ୍ଗଳା ଥିଲା ଏହି ବାଉଁଶୁଣୀ ଡାକ ବଙ୍ଗଳା ।
ବୌଦ୍ଧ ଗସ୍ତ ସମୟରେ ପ୍ରତ୍ୟେକ ଥର ବିଜୁବାବୁ ଏଠାରେ ଅବସ୍ଥାନ କରିବାକୁ ଖୁବ ଭଲ ପାଉଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଶତାଧିକ ବର୍ଷର ପ୍ରାଚୀନ ବଙ୍ଗଳାଟି ବର୍ତ୍ତମାନ ଧ୍ବଂସ ପ୍ରାୟ ଅବସ୍ଥାରେ ପହଞ୍ଚିଛି । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ କୌଣସି ବିଭାଗ ଏହାର ଦାୟିତ୍ୱ ନନେବାରୁ ବଙ୍ଗଳାଟିର ଏଭଳି ଅବସ୍ଥା ହୋଇଥିବା ସୂଚନା ମିଳିଛି । ଏହାରି ଭିତରର ସମସ୍ତ ସାମଗ୍ରୀ ସମେତ ବଙ୍ଗଳାର ବାହ୍ୟ ସାମଗ୍ରୀ ମଧ୍ୟ ଲୁଟ ହୋଇ ସାରିଲାଣି । ବର୍ତ୍ତମାନ ଏହି ସ୍ଥାନଟି ପରିତ୍ୟକ୍ତ ହୋଇ ପଡିବା ସହ ଅସାମାଜିକ କାର୍ଯ୍ୟ କଳାପର କେନ୍ଦ୍ରସ୍ଥଳ ପାଲଟି ଯାଇଛି । ବିଜୁବାବୁଙ୍କ ସ୍ମୃତି ସହିତ ଜଡିତ ଏହି ଶତାଧିକ ବର୍ଷ ପୁରୁଣା ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ