ବୌଦ୍ଧ: ଜିଲ୍ଲାର ଐତିହାସିକ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଅଞ୍ଚଳବାସୀ । ଦୁଇଟି ନଦୀ କୂଳରେ ରହିଛି ଐତିହାସିକ ସହର ମନମୁଣ୍ଡା ।ପ୍ରାଚୀନ କାଳରୁ ଏକ ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସହର । ତେଲ ଓ ମହାନଦୀର ସଂଗମ ସ୍ଥଳରେ ଅବସ୍ଥିତ ଥାଇ ମଧ୍ୟ ମନମୁଣ୍ଡା ବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟଜଳ ଆଜି ମଧ୍ୟ ଦିବା ସ୍ବପ୍ନ ହୋଇ ରହିଛି ।
ଏଠାରେ ଥିବା 1881 ମସିହାର ପ୍ରାଚୀନ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ଅବହେଳିତ ହୋଇ ପଡିରହିଛି । ମନମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ଚବିଶ ଗୋଟି ପଞ୍ଚାୟତ ନିର୍ଭରଶୀଳ ଥିଲେ ମଧ୍ୟ ଏହାର ଉପଯୁକ୍ତ ବିକାଶ ହୋଇପାରୁ ନାହିଁ । ମନମୁଣ୍ଡା ଅଞ୍ଚଳକୁ ଏକ ଏନଏସି ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ ପ୍ରଶାସନିକ ସ୍ତରରେ କିମ୍ବା ରାଜନୈତିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ।
ବିଭିନ୍ନ କ୍ଷେତ୍ରରେ ମନମୁଣ୍ଡା ଅଞ୍ଚଳ ପଛୁଆ ପଡିଥିବାବେଳେ ତେଲନଦୀ ଉପରେ ଥିବା ସେତୁ ବର୍ତ୍ତମାନ ଦୁର୍ବଳ ହୋଇ ପଡିଛି । ମନମୁଣ୍ଡା ଅଞ୍ଚଳକୁ ବାରମ୍ବାର ଉପେକ୍ଷା କରାଯାଉଥିବାରୁ ଏନେଇ ବୁଦ୍ଧିଜୀବୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ