ବୌଦ୍ଧ: ମା' ଧନଦାତ୍ରୀଙ୍କ ଆଗମନ ସାଙ୍ଗକୁ ଜିଲ୍ଲାକୁ ଛୁଇଁଛି ପହିଲି ଶୀତର ସ୍ପର୍ଶ । ଜିଲ୍ଲାର ଅନେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଶୀତର ଆଗମନକୁ ଏହା ସୂଚାଇଛି । ଫଳରେ ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ଜିଲ୍ଲା ବର୍ତ୍ତମାନ ଶୀତର ପହିଲି ସ୍ପର୍ଶରେ ଆହୁରି ଅଧିକ ମନଲୋଭା ହୋଇଉଠିଛି । ପୁଣ୍ୟ ମାସ କାର୍ତ୍ତିକ ପ୍ରବେଶ ସମୟରେ ପ୍ରକୃତି ରାଣୀର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ନେଇ କବି ପ୍ରାଣ ପୁଲକିତ ହୋଇଛି । ପକ୍ଷୀ କାକଳିଙ୍କ ସୁମଧୁର ସ୍ବର ସହିତ ତରୁଲତା ପ୍ରକୃତିପ୍ରେମୀଙ୍କୁ କରୁଛି ଆନମନା । ଶାରଦୀୟ ଦେବୀପୂଜା ସମାପନ ପରେ ବର୍ତ୍ତମାନ ଶରତ ପୂର୍ଣ୍ଣିମାଠାରୁ ପୁଣ୍ୟ ମାସ କାର୍ତ୍ତିକ ପ୍ରବେଶ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡିର ମେଘମାଳା ଦେଖିବାକୁ ମିଳିଛି ।
ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ସବୁଜ ବନାନି ଘେରା ବୌଦ୍ଧ ଜିଲ୍ଲାକୁ ଅଧିକ ଆକର୍ଷଣୀୟ କରୁଛି ଶୀତର ପହିଲି ପୁଲକ । ବଣ ଜଙ୍ଗଲ ଘେରା ତଥା ମହାନଦୀର ଉପତ୍ୟକାରେ ବର୍ତ୍ତମାନ ଶୀତ ଓ କୁହୁଡିର ପ୍ରବେଶ ସହିତ ପରିବେଶର ଶୋଭା ଦ୍ବିଗୁଣିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଶୀତ ଅନୁଭୂତ ହେବା ସହିତ ସକାଳୁଆ କୁହୁଡି ବେଶ ମନଲୋଭା ହୋଇଉଠିଛି । ପାର୍ବଣ ଋତୁ ପରେ ବର୍ତ୍ତମାନ ଶରତ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ପୁଣ୍ୟ ମାସ କାର୍ତ୍ତିକ । ଆଉ ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡିର ମେଘମାଳା ଧରଣୀ ରାଣୀକୁ ଆଛାଦିତ କରି ରଖୁଛି ।
ଏହା ବି ପଢନ୍ତୁ- ଥରୁଛି ରାୟଗଡା: ମନମୋହୁଛି ଶୀତୁଆ ସକାଳ, ହସୁଛି ଶସ୍ୟ ଶ୍ୟାମଳା କ୍ଷେତ
ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନ ସ୍ଥଳୀ ରହିଛି । ଜିଲ୍ଲାର ଡମକୁଚ, କୁମ୍ଭିଦରହ, ସାତକୋଶିଆ ଅଭୟାରଣ୍ୟ, ଅରଣ୍ୟଗଡ, ଡମ୍ବରୁଗଡ, ନାଏକପଡା, ମର୍ଜାକୁଦ, ରେଘାମୁଣ୍ଡା, ଲତାଝରଣ, ଖୁଣ୍ଟିଗୋରା, ଖରଖରି, ନନ୍ଦନବନ, ଗୁପ୍ତ ଗଙ୍ଗା ଭଳି ବିଭିନ୍ନ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ଶୀତର ପହିଲି ସ୍ପର୍ଶରେ ତଥା କୁହୁଡିଆ ସକାଳୁ ବେଶ ଆକର୍ଷଣୀୟ ହୋଇ ଉଠିଛି । ଆଜି ପବିତ୍ର ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣିମା ଅବସରରେ ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ପୂଜନ ଉତ୍ସବ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଚତୁର୍ଦ୍ଦିଗ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଆମ ବୌଦ୍ଧ ଜିଲ୍ଲାର ପ୍ରତିଟି କୋଣ ଅନୁକୋଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର । ହେଲେ ଏବେ କୁହୁଡ଼ି ପଡ଼ିବା ପରେ ଏହାର ଶୋଭା ବର୍ଦ୍ଧିତ ହୋଇଛି । ଶୀତ ଋତୁରେ ପ୍ରତିଟି ସ୍ଥାନରେ ଶୀତ ପଡ଼େ । ହେଲେ ଆମ ଜିଲ୍ଲାର ପ୍ରାକୃତିକ ଶୋଭା ଟିକେ ନିଆରା । ଏମିତି ସୌନ୍ଦର୍ଯ୍ୟପୂର୍ଣ୍ଣ ଆମ ବୌଦ୍ଧ ଜିଲ୍ଲା ।"
ଆଜିଠାରୁ ପୁଣ୍ୟ ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଥିବାବେଳେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମାହୋଲର ଖୁସିକୁ ବୃଦ୍ଧି କରିଛି । ସକାଳୁ ସକାଳୁ ଚା' ଖଟିଠାରୁ ନେଇ ଯୋଗ ବ୍ୟାୟାମ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥିବା ବେଳେ ନବ ପଲ୍ଲବିତ ତରୁଲତା ଓ ପୁଷ୍ପରାଜି ପରିବେଶକୁ ଅଧିକ ମନୋରମ କରିଛି । ଶୀତୁଆ ସକାଳର କୁହୁଡିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ନେଇ କଵି ଓ ଭାବୁକ ରୋମାଞ୍ଚିତ ହେବା ସହିତ ନିଜର ଭାବକୁ ପରିପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ