ବୌଦ୍ଧ: ଜଙ୍ଗଲମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁ । ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛକାଟି ମାଫିଆମାନେ ମୂଲ୍ୟବାନ କାଠ ସବୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଜଙ୍ଗଲ ହ୍ରାସ ଯୋଗୁଁ ବର୍ତ୍ତମାନ ବିପଦରେ ପଡିଛନ୍ତି ବନ୍ୟଜନ୍ତୁ । ଜଙ୍ଗଲ କ୍ଷୟ ହେଉଥିବା ବେଳେ ଜଙ୍ଗଲ ଯାତ ଦ୍ରବ୍ୟମଧ୍ୟ ଲୁପ୍ତ ହେବାରେ ଲାଗିଛି । ପ୍ରାକୃତିକ ସମ୍ବଳ ଅବକ୍ଷୟ ଫଳରେ ପରିବେଶ ଧୀରେଧୀରେ ବିପଦ ମୁହାଁ ହେବାରେ ଲାଗିଛି ।
ଗୋଟିଏ ପଟରେ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଜଙ୍ଗଲ ଧ୍ୱଂସ ପାଉଥିବା ବେଳେ ଅନ୍ୟ ପଟରେ ବନ୍ୟଜନ୍ତୁ ଶିକାରୀଙ୍କ ସକ୍ରିୟତା ପରିବେଶ ପ୍ରେମୀଙ୍କୁ ଗଭୀର ଉଦବେଗ କରିଛି । ଜିଲ୍ଲାର ବିଭିନ୍ନ ଜଙ୍ଗଲ ବର୍ତ୍ତମାନ କାଠ ମାଫିଆ, ଗଞ୍ଜେଇ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ କବଜାରେ ରହିଲା ଭଳି ମନେ ହେଉଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ଗତ କିଛି ବର୍ଷ ହେଲା ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି । ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜ ଜିଲ୍ଲା ବୌଦ୍ଧର ବିଭିନ୍ନ ଜଙ୍ଗଲ ବର୍ତ୍ତମାନ ବନ୍ୟଜନ୍ତୁଙ୍କ ପାଇଁ ବିପଦ ଶଙ୍କୁଳ ହୋଇ ପଡିଛି ।
ଜଙ୍ଗଲ ହ୍ରାସ ଯୋଗୁଁ ଖାଦ୍ୟ ଅଭାବରୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବା ବେଳେ ଏହାର ସୁଯୋଗ ନେଇ ଶୀକାରୀମାନେ ବେଶ ସକ୍ରିୟ ହୋଇ ଉଠିଛନ୍ତି । ବୌଦ୍ଧ ବନ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ଏଭଳି ବେଆଇନ କାର୍ଯ୍ୟ ସହ ଜଡିତ ଅପରାଧୀଙ୍କୁ ଧରୁଛନ୍ତି । କିନ୍ତୁ ତଥାପି ମଧ୍ୟ ଅନେକ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟ ବିଶେଷ ଭାବରେ ହାତୀ, ବାଘ, ଭାଲୁ, ସମ୍ବର, କୁଟୁରା, ଠେକୁଆ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କ ଅବାଧ ଶିକାର ହେଉଛି ।
ଗତ ଶନିବାର ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ ଏସଟିଏଫ ଚଢ଼ାଉ କରି ଜଣେ ଯୁବକକୁ କାବୁ କରିବା ସହିତ ଯୁବକ ନିକଟରୁ ତିନୋଟି ବାଘ ଓ ହରିଣ ଛାଲ ଜବତ କରିଥିଲେ । ଏହାର ଗୋଟିଏ ଦିନ ପରେ ବୌଦ୍ଧ ବନ ବିଭାଗ କଣ୍ଟାମାଳ ବନାଞ୍ଚଳରେ ଚଢାଉ ଏକ ଟ୍ରକରେ ଥିବା ବ୍ୟାପକ କେନ୍ଦୁକାଠକୁ ଜବତ କରିଥିଲା । ସେହିପରି ଗତକାଲି ରାତିରେ ଏସଟିଏଫ ବୌଦ୍ଧ ବନ ବିଭାଗର ସହାୟତାରେ ବୌଦ୍ଧ ବାଏପାସରେ ଏକ ବଜ୍ରକାପ୍ତା ଡିଲ୍ ସମୟରେ କାବୁ କରିଥିବା ଜଣାପଡ଼ିଛି । ତେବେ ବୌଦ୍ଧ ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର ଘଟଣାକୁ ନେଇ ପରିବେଶ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ