ବୌଦ୍ଧ: ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ପାଞ୍ଚ ଦିନ ହେଲାଣି ଝୁଲୁଛି ତାଲା । କେନ୍ଦ୍ରକୁ ଅଙ୍ଗନବାଡି ଦିଦି ଆସୁନଥିବାରୁ ଗ୍ରାମବାସୀ ମିଶି ତାଲା ପକାଇଛନ୍ତି । ବୌଦ୍ଧ ଜିଲ୍ଲାର ଗିରାସିଙ୍ଗା ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ଅବ୍ୟବସ୍ଥାକୁ ପ୍ରତିବାଦ କରି ଗ୍ରାମବାସୀ ଅନୁଷ୍ଠାନରେ ତାଲା ପକାଇଛନ୍ତି ।
ସୂଚନା ମୁତାବକ ଗିରାସିଙ୍ଗା ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ଦିଦିଙ୍କ ପ୍ରାୟ ଦୁଇ ବର୍ଷ ତଳେ ସୋନପୁରରେ ବିବାହ ହୋଇଥିଲା । ଏହାପରଠାରୁ ସେ କାର୍ଯ୍ୟକୁ ନିୟମିତ ଆସିପାରୁ ନଥିଲେ । ଫଳରେ କେନ୍ଦ୍ରରେ ପାଠ ପଢୁଥିବା ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । କେବଳ ସହାୟିକା ଛୁଆମାନଙ୍କୁ ଖାଦ୍ୟ ଯୋଗାଇ ଛୁଟି କରୁଥିଲେ ।
ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଗତ ସୋମବାର ବାଧ୍ୟ ହୋଇ କେନ୍ଦ୍ରରେ ତାଲା ପକାଇବା ସହ ନୂଆ ଦିଦି ନିଯୁକ୍ତି ପାଇଁ ଦାବି କରିଛନ୍ତି । ଏସମ୍ପର୍କରେ ବୌଦ୍ଧ ସିଡିପିଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ