ବୌଦ୍ଧ: ସାରା ରାଜ୍ୟରେ ଲକଡାଉନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଜଣେ ରୋଗୀଙ୍କୁ ଅତି ଦୟନୀୟ ଅବସ୍ଥାରେ ସାଇକେଲରେ ବୁହାଯିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ପରିସ୍ଥିତି ଏପରି ଥିଲାଯେ ଡାକ୍ତରଖାନାରେ ପହଞ୍ଚିବା ପରେ ମଧ୍ୟ ସେଠାରେ କୌଣସି ସହାୟତା ନପାଇ ବୃଦ୍ଧାଙ୍କୁ ପିଠିରେ ବୋହି ଡାକ୍ତରଙ୍କ ପାଖକୁ ନେବାକୁ ପଡିଥିଲା ।
କୋରୋନା ସଂକ୍ରମଣ ଆଶଙ୍କାରେ ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ତେବେ ବର୍ଷ ବର୍ଷ ଧରି ବୌଦ୍ଧର ଦ୍ବୀପାଞ୍ଚଳରେ ବାସ କରୁଥିବା ମର୍ଜାକୁଦବାସୀଙ୍କ ଦୁଃଖ ଆଜି ମଧ୍ୟ ପୂର୍ବ ଭଳି ରହିଥିବା ମନେହେଉଛି । ଏହି ମର୍ଜାକୁଦ କୌଣସି ଦୂରଦୂରାନ୍ତର ସ୍ଥାନ ନୁହେଁ, ବଂର ବୌଦ୍ଧ ପୌରାଞ୍ଚଳର ଅଧିନରେ ଆସିଥାଏ । ବୁଧବାର ଜଣେ ବୃଦ୍ଧା ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ପୁଅ ବୌଦ୍ଧ ସହର ମଧ୍ୟସ୍ଥ ଘାଟ ନିକଟକୁ ଆମ୍ବୁଲାନ୍ସ ନିମନ୍ତେ ବାରମ୍ବାର ଫୋନ କରିଥିଲେ ।
ମର୍ଜାକୁଦରୁ ପାଞ୍ଚଟି ସ୍ଥାନରେ ବୃଦ୍ଧାଙ୍କୁ ବହୁ କଷ୍ଟରେ ମହାନଦୀ ଘାଟ ନିକଟରେ ପହଞ୍ଚିବା ପରେ ମଧ୍ୟ ଆମ୍ବୁଲାନ୍ସ ନମିଳିବାରୁ ବୃଦ୍ଧାଙ୍କ 2 ପୁଅ ଏକ ଦଦରା ସାଇକେଲରେ ବସାଇ ଠେଲି ଠେଲି ଡାକ୍ତରଖାନାକୁ ନେଇଥିଲେ ।ଏଭଳି ଅଭାବନୀୟ ପରିସ୍ଥିତି ପରେ ବୃଦ୍ଧାଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିବା ପରେ ମଧ୍ୟ ସେଠାରେ କୌଣସି ସେବା ନମିଳିବାରୁ ବୃଦ୍ଧାଙ୍କ ପୁଅ ତାଙ୍କୁ ପିଠିରେ ବୋହି ଡାକ୍ତରଙ୍କ ପାଖକୁ ନେଇଥିଲେ । ଯାହା ଆଜି ସମସ୍ତଙ୍କୁ ଦୁଃଖିତ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ