ବୌଦ୍ଧ: ଆଡପ ମଣ୍ଡପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ମାଉସୀ ମା ମନ୍ଦିରରେ ବଡ ଠାକୁରଙ୍କ ନବ ଦିନାତ୍ମକ ଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୌଦ୍ଧ ସ୍ଥିତ ମାଉସୀ ମା ମନ୍ଦିରରେ ପ୍ରତ୍ୟେକ ଦିନ ଅପରାହ୍ନରେ ଅନ୍ନଭୋଗ ଲାଗି ହେବାପରେ କାଳିଆ, ସୁଭଦ୍ରା ଓ ବଳଭଦ୍ରଙ୍କ ଦଶାବତାର ବେଶ ଆକର୍ଷଣୀୟ ହେଉଛି। ପ୍ରଥମ ଦିନ ବଡ ଶିଙ୍ଗାର ବେଶ ହୋଇଥିବା ବେଳେ ଦ୍ବିତୀୟ ଦିନ ମତ୍ସ୍ୟ ଓ କଛ ବେଶରେ ଠାକୁର ଦର୍ଶନ ଦେଇଥିଲେ ।
ସେହିପରି ସୋମବାର ବରାହ ନୃସିଂହ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ବେଶ ଭାବ ବିହ୍ଵଳ ହୋଇଥିଲେ । ପ୍ରତ୍ୟେକ ଦିନ ମାଉସୀ ମା ମନ୍ଦିର ପରିସରରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଘୋଷଯାତ୍ରା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।
ଈଟିଭି ଭାରତ,ବୌଦ୍ଧ