ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ନୂତନ ବର୍ଷର ଆରମ୍ଭରୁ ହିଁ ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ହତ୍ୟା,ଦୁର୍ଘଟଣା ଓ ଅପମୃତ୍ୟୁ ଭଳି ଘଟଣା । ରବିବାର ସକାଳୁ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅପରାହ୍ନରେ ସେଲଫି ନେଉଥିବା ବେଳେ ଜଣେ ନାବାଳକର ପାଣିରେ ବୁଡି ମୃତ୍ୟୁ ହୋଇଛି ।
କୋରୋନା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ ଆରମ୍ଭରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା, ଦୁର୍ଘଟଣା, ଅପମୃତ୍ୟୁ ଭଳି ମାମଲା ସମସ୍ତଙ୍କୁ ଚିନ୍ତିତ କରିଛି । ବିଦାୟୀ ବର୍ଷ ଓ ନୂଆ ବର୍ଷର ସପ୍ତାହକ ମଧ୍ୟରେ ପନ୍ଦରରୁ ଊର୍ଦ୍ଧ୍ବ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନୂଆ ବର୍ଷର ଜିରୋ ନାଇଟରେ ଜଣେ କନେଷ୍ଟବଳଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଏହା ପରେ ଶନିବାର ଦୁଇଟି ମୃତ୍ୟୁ ଘଟଣା ଓ ରବିବାର ସକାଳୁ ରାଜନପାଲିର ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଅପରାହ୍ନରେ ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ନିକଟସ୍ଥ କୁମ୍ଭୀଦରହରେ ଜଣେ ନାବାଳକ ସେଲଫି ନେଉଥିବା ବେଳେ ପାଣିରେ ବୁଡି ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ତେବେ ସପ୍ତାହ ଭିତରେ ଜିଲ୍ଲାରେ ପ୍ରାୟ 15ଜଣଙ୍କର ଅକାଳ ମୃତ୍ୟୁ ହୋଇଛି । ଜିଲ୍ଲାରେ ବଢୁଥିବା ଅପମୃତ୍ୟୁ ଓ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସରାକାର ସଚେତନ ହେବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଦେବାଶିଷ ପୁରୋହିତ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ