ବୌଦ୍ଧ: ବାପାଙ୍କୁ ମାରିଦେଲେ ଆଉ ଏବେ ଆମ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହତ୍ୟାର ଧମକ ଦେଉଛନ୍ତି ଦୁର୍ବୃର୍ତ୍ତ । ଏଭଳି କିଛି ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ସୁରକ୍ଷା ମାଗିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର । ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜେନା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗତ ତିନିଦିନ ତଳେ ଲୁମୁରୁଜେନା ଗ୍ରାମରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ତା ପରଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଶରୀର ଏକ ନାଳ ନିକଟରୁ ଉଦ୍ଧାର ହୋଇଥିଲା । ପରେ ମୃତକ ଜଣକ ଲୁମୁରୁଜେନା ଗ୍ରାମର ସମାରୁ ଗେଜ ବୋଲି ପରିବାର ପକ୍ଷରୁ ଚିହ୍ନଟ କରାଯାଇଥିଲା । ପାରିବାରିକ ତଥା ଜମିବାଡ଼ି ସମ୍ପର୍କିତ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ନେଇ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଅଭିଯୋଗ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ମନମୁଣ୍ଡା ପୋଲିସ ପ୍ରାଥମିକ ତଦନ୍ତ ପରେ ଗ୍ରାମର ୨ଭାଇଙ୍କୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଭାବରେ ଗିରଫ କରିଥିବା ବେଳେ ଜଣଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ଅନ୍ୟ ଅଭିଯୁକ୍ତମାନେ ଖୋଲାଖୋଲି ଗାଁ'ରେ ବୁଲିବା ସହିତ ମୃତକଙ୍କ ପରିବାରକୁ ସମ୍ପୂର୍ଣ୍ଣ ବଂଶଲୋପ ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତେବେ ଏହି ହତ୍ୟାକାଣ୍ଡରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିବା ବେଳେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଫଳରେ ଅନ୍ୟ ୪ଜଣ ଅଭିଯୁକ୍ତ ମୃତକଙ୍କ ପରିବାରକୁ ହତ୍ୟାର ଧମକ ଦେଉଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଶ୍ବଶୁର ଘରୁ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର, ବାପଘର ଆଣିଲେ ହତ୍ୟା ଅଭିଯୋଗ
ଏନେଇ ବାରମ୍ବାର ମନମୁଣ୍ଡା ପୋଲିସ ନିକଟରେ ଏ ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗତକାଲି ପୀଡ଼ିତଙ୍କ ପରିବାର ବୌଦ୍ଧ ଜିଲ୍ଲାପାଳ ଓ ଅତିରିକ୍ତ ଏସ୍ପିଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ସେମାନଙ୍କ ଜୀବନ ବଞ୍ଚାଇବାକୁ କାକୁତି ମିନତି ହୋଇଥିଲେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ପିଡୀତ ପରିବାରକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ