ବୌଦ୍ଧ: ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ବୌଦ୍ଧରେ ବାର ଘଣ୍ଟିଆ ବନ୍ଦ ପାଳନ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଯୋଗୁଁ ଜମି ହରାଉଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ସହିତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ପ୍ରକଳ୍ପରେ ଜମି ହରାଉଥିବା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉନଥିବା ଅଭିଯୋଗ ହୋଇଛି। ପୁରୁଣା ବେଞ୍ଚ ମାର୍କ ଭାଲ୍ୟୁ ହିସାବରେ ଦର ନିର୍ଦ୍ଧାରଣ ହୋଇଥିବାରୁ ଅନେକ ଜମି ହରାଉଥିବା ପ୍ରଜା ଆବଶ୍ୟକ ସ୍ଥଳରେ ଭିକ୍ଷାବୃତ୍ତି କରିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି । ସେପଟେ, କ୍ୟାମ୍ପ କୋର୍ଟ ମଧ୍ୟ ବ୍ରହ୍ମପୁରରେ ଥିବାରୁ ଏନେଇ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ସରକାର ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ