ବୌଦ୍ଧ: ମରଣଯନ୍ତା ପାଲଟିଛି ବୌଦ୍ଧର ୫୭ ନମ୍ବର ଜାତୀୟ ରାଜପଥ । ଆଜି ପୁଣି ସଡକ ଦୁର୍ଘଟଣାରେ ଜଣେ ବୀମା ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୋମବାର ସକାଳ ପ୍ରାୟ 11ଟା ସମୟରେ ବୌଦ୍ଧ ଜିଲ୍ଲା ଚାରିଛକରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ବୀମା ଏଜେଣ୍ଟ ଜଣକ ହେଲେ ସନ୍ତୋଷ କାନ୍ତି । ସେ ଚାରିମାସ ତଳେ ବିବାହ କରିଥିଲେ । ଆଉ ନିଜ ପତ୍ନୀ ସନ୍ତୋଷିନୀଙ୍କ ସହିତ ବାଇକରେ ଆଢେଣିଗଡ ଆଡକୁ ଯାଉଥିଲେ ।
ମାତ୍ର ଚାରିଛକରୁ ପ୍ରାୟ 5 କିଲୋମିଟର ଦୂର କରଡାକୋଠା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ମୁହାଁମୁହିଁ ଧକ୍କା ହେବାରୁ ଉଭୟ କାର ଓ ବାଇଟ ନିକଟସ୍ଥ ଗଛରେ ପିଟି ହୋଇଥିଲା ।
ଦୁର୍ଘଟଣାରେ ସନ୍ତୋଷଙ୍କ ଘଟଣାସ୍ଥଲରେ ମୃତ୍ୟୁ ହୋଇଥିବାବେଳେ ସନ୍ତୋଷିନୀ ଓ ଆଉଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ସନ୍ତୋଷିନୀଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଇଥିବା ସୂଚନା ମିଳିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ