ଭଦ୍ରକ: ଅବକାରୀ ଚଢ଼ାଉ । ବିପୁଳ ପରିମାଣର ମଦ ସହିତ ବାଇକ ଓ ସ୍କୁଟି ଜବତ, ୫ ଗିରଫ । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ସ୍ୱତନ୍ତ୍ର ଟିମ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଶିକାବାଦ, ଚୁନିଦା, ମଉଦା, ବେଲଦା ଗ୍ରାମ ଓ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ କେନାଲ ରୋଡ ଆଦି ୫ଟି ସ୍ଥାନରେ ଚଢାଉ କରିଥିଲେ ।
ଚଢାଉ ସମୟରେ ୨୦୦ ଲିଟର ଦେଶୀ ରନ୍ଧା ମଦ ସହିତ ଦୁଇଗୋଟି ସ୍କୁଟି ଓ ଗୋଟିଏ ମୋଟର ସାଇକେଲ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି ।
ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ ।
ଏନେଇ ଅବକାରୀ ବିଭାଗ ପକ୍ଷରୁ ୫ ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ