ଭଦ୍ରକ: ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମତାନ୍ତର ଉଗ୍ରରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ କରିଛି । ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ଗଳା କାଟି ଦେଇଥିବା ସୂଚନା ମିଳିଛି ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଘନଟା ଗାଁରେ । ଗାଁର ଅମୂଲ୍ୟ ଜେନା ଏବଂ ତାଙ୍କ ସ୍ତ୍ରୀ ସୁଲୋଚନା ଜେନାଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ଯୁକ୍ତି ତର୍କ ଲାଗିଥିଲା । ଧିରେ ଧିରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ସ୍ବାମୀ ରାଗିଯାଇ ଠେଙ୍ଗାରେ ବାଡେଇ ସ୍ତ୍ରୀର ମୁଣ୍ଡ ଫଟାଇବା ସହ ଦାନ୍ତ ଭାଙ୍ଗି ଦେବାରୁ ସ୍ତ୍ରୀ ପ୍ରତି ଆକ୍ରମଣ କରି ପାଖରେ ପଡିଥିବା ଏକ ଧାରୁଆ ଅସ୍ତ୍ରରେ ସ୍ବାମୀର ଗୁପ୍ତାଙ୍ଗ କାଟିବା ସହ ତଣ୍ଟି ମଧ୍ୟ କାଟି ଦେଇଥିଲେ ।
ଗ୍ରାମବାସୀ ଉଭୟ ସ୍ଵାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏନେଇ ଚାନ୍ଦବାଲି ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ