ଭଦ୍ରକ: ରାନ୍ଦିଆ ବେଦାନ୍ତ ଫେକର ଚାର୍ଜକ୍ରୋମ ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । କମ୍ପାନୀ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣା ନୀତି ଓ ଦାୟିତ୍ୱରେ ଥିବା ୟୁନିୟନ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶେଷ କରି କମ୍ପାନୀ କର୍ତ୍ତୃପକ୍ଷ ଠିକାଦାରଙ୍କ ମାଧ୍ୟମରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରି ଉଚିତ ପ୍ରାପ୍ୟ ପ୍ରଦାନ ନକରି ଶ୍ରମିକମାନଙ୍କୁ ଶୋଷଣ କରୁଥିବା ଆନ୍ଦୋଳନରତ ଶ୍ରମିକ ଅଭିଯୋଗ କରିଛନ୍ତି ।
ଏନେଇ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଶ୍ରମିକଙ୍କ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ସହ ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଗଠନ ଦାବିକରି ଆସୁଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଯେ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଇଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ସଂଗଠନ ଚେତାବନୀ ଦେଇଥିଲା । ଫଳରେ ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ