ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ଓ ଲୁଣିଆ ଠାରେ ଦୀର୍ଘ ଶହଶହ ବର୍ଷର ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ମୁଖ୍ୟ ଆକର୍ଷଣ ହେଉଛି ବଳଦ ପୂଜା । ବିଲରେ ଚାଷୀର ପରମ ବନ୍ଧୁ ବଳଦକୁ ପାର୍ବଣର ଏହି ପର୍ବରେ ପୂଜା କରାଯାଏ ।
ବିଶ୍ବାସ ଅଛି ଏହା ଫଳରେ ବଳଦ ଖୁସି ହେବା ସହ ବିଲରେ ଭଲ ଧାନ ଅମଳ ହେବ । ତେଣୁ ଭସାଣୀ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ବଳଦକୁ ସୁସଜ୍ଜିତ ବେଶରେ ପୁଜାର୍ଚ୍ଚନା କରିବା ସହ ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳ ପ୍ରରିକ୍ରମା କରାଯାଇଥାଏ ।
ଏହାପରେ ଗ୍ରାମଦେବୀଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇ ମା’ ଦୁର୍ଗାଦେବୀ ପୀଠକୁ ଏହି ବଳଦ ମାନଙ୍କୁ ନିଆଯିବାର ପରମ୍ପରା ରହିଛି । ଏହି ଯାତ୍ରା ପାଇଁ ପ୍ରାତଃରେ ବଳଦ ମାନଙ୍କୁ ପରମ୍ପରା ଅନୁଯାୟୀ ହଳଦୀ ପାଣିରେ ଗାଧୋଇ ଦିଆଯିବା ସହ ନୂଆ ବସ୍ତ୍ର ପିନ୍ଧାଯାଇଥାଏଓ ବଳଦ ଗୁଡିକୁ ମଣ୍ଡାପିଠା ଖାଇବାକୁ ଦିଆଯାଇଥାଏ । ଏହି ବଳଦ ମାନେ ମା’ଙ୍କ ସମ୍ମୁଖରେ ଭକ୍ତି ଅର୍ଘ୍ୟ ପ୍ରଦାନ କରିବାର ଦୃଶ୍ୟ ବେଶ ନିଆରା ଓ ଆକର୍ଷଣ ଯାହାକୁ ଦେଖିବାକୁ ଶହଶହ ଲୋକ ଜମା ହୋଇଥାନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ