ଭଦ୍ରକ:କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ 11ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଭଦ୍ରକ ଜିଲ୍ଲାରେ କଡାକଡି ସହ ସଟଡାଉନ ଜାରି ରହିଛି । ପୂର୍ବରୁ ସଟଡାଉନ ନିୟମକୁ ଯେପରି କଡାକଡି ଭାବେ ଲାଗୁ କରାଯାଇଥିଲା, ସେହିପରି ନୂତନ ଭାବେ ଏହି ଦୁଇ ଦିନିଆ ସଟଡାଉନ କଟକଣାକୁ ମଧ୍ୟ ଜିଲ୍ଲାରେ ଲାଗୁ କରାଯାଇଛି ।
ସଟଡାଉନ ଯୋଗୁଁ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇଯାଇଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସେପଟେ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 162 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 135 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବିଶେଷ କରି ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ମାନଙ୍କ କ୍ଷେତ୍ରରେ କୋରୋନା ଲକ୍ଷଣ ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ଜାରି ହୋଇଥିବା ସଟଡାଉନ ସମୟରେ ପୋଲିସ ପକ୍ଷରୁ ଜିଲ୍ଲାରେ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ସିଲ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି ପୋଲିସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ