ଭଦ୍ରକ: ସରିଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଘୋଷଣା ହୋଇସାରିଛି ବିଜୟୀ ପ୍ରାର୍ଥୀଙ୍କ ନାମ । ବିଜୟୀ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କୁ ନେଇ ନିଜ ଇଚ୍ଛା ମୁତାବକ ବିଜୟ ଉତ୍ସବ ପାଳନ କଲେ । କିଏ ଶୋଭାଯାତ୍ରା କରି ତ ଆଉ କିଏ ପଦଯାତ୍ରା କରି ଘରକୁ ଘର ବୁଲି ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କଲାବେଳେ ଆଉ କିଏ ମଦ ମାଂସ ଭୋଜି କରି ଉତ୍ସବ ମନାଇଲେ ତ ଆଉ କିଏ ମଠ, ମନ୍ଦିର ଓ ମସଜିଦ୍କୁ ଯାଇ ନିଜ ବିଜୟର ଶ୍ରେୟକୁ ସମର୍ପଣ କଲେ । କିନ୍ତୁ ଏହାରି ଭିତରେ ଏକ ନିଆରା ଢଙ୍ଗରେ ପାଳନ କରାଯାଉଥିବା ଶୋଭାଯାତ୍ରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଅନୁସାରେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ । ବିପୁଳ ଜନସମର୍ଥନ ପାଇ ନିର୍ବାଚିତ ହେବାପରେ ନିଜ ସମର୍ଥକଙ୍କୁ ଧରି ପାଳିଆବିନ୍ଧା ସ୍ଥିତ ଏକ ବସ୍ତିକୁ ଯାଇଥିଲେ । ସେଠାରେ ତାଙ୍କୁ ଜନସାଧାରଣ ବାଲଟି ବାଲଟି କ୍ଷୀରରେ ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଏହି ଦୃଶ୍ୟକୁ ନେଇ ବିଭିନ୍ନ ମହଲରେ ନକରାତ୍ମକ ମନ୍ତବ୍ୟ ପ୍ରକାଶ ପାଉଥିବା ନେଇ ସୂଚନା ରହିଛି ।
ହିନ୍ଦୁ ଧର୍ମରେ ଦେବାଦେବୀଙ୍କୁ କ୍ଷୀରରେ ସ୍ନାନ କରାଯାଉଥିବା ବେଳେ ଜଣେ ସାଧାରଣ ମଣିଷଙ୍କୁ ଏପରି କ୍ଷୀରସ୍ନାନ କରାଇବା ହିନ୍ଦୁ ଧର୍ମ ପ୍ରତି କୋଠାରଘାତ ହୋଇଛି । ତେବେ ସମର୍ଥକଙ୍କ ପକ୍ଷରୁ ଏପରି ସ୍ନାନକୁ ନେତା ଜଣକ ବିରୋଧ କରିଥିଲେ ମଧ୍ୟ ବିଜୟର ଉତ୍ସାହ ଉଦ୍ଦିପନାକୁ ସେ ରୋକି ପାରିନଥିବା ଜଣାପଡିଛି । ଏହି ଘଟଣା ଏବେ ରାଜନୈତିକ ମହଲରୁ ଆସି ଧାର୍ମିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ