ଭଦ୍ରକ: ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପାଇଁ ଭଦ୍ରକ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସେନେଇ ଗତକାଲି(ଶନିବାର) ରାତିରେ ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀ ଭଦ୍ରକ ଜିଲ୍ଲା ଅଗ୍ନିସେବା କେନ୍ଦ୍ରଠାରେ ପହଞ୍ଚି ପ୍ରଥମେ ଅଗ୍ନିଶମ ବିଭାଗର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ।
ସୂଚନା ଅନୁଯାୟୀ ଭଦ୍ରକ ଜ଼ିଲ୍ଲାର 9 ଟି ଏବଂ ଜ଼ିଲ୍ଲା ବାହାରୁ 12ଟି ଟିମ, ଅର୍ଥାତ୍ ମୋଟ 21 ଟି ଟିମ ବାତ୍ୟା ମୁକାବିଲାରେ ନିଯୁକ୍ତ ହେବେ । ସେହିପରି ବାତ୍ୟା ସମୟରେ ଓ ବାତ୍ୟା ପରେ କିପରି ଉଦ୍ଧାର କାର୍ଯ୍ୟ, ରାସ୍ତା ସଫା ଆଦି କାର୍ଯ୍ୟ ଅଗ୍ନିଶମ ବାହିନୀ କରିପାରିବେ ଓ ସେଥିପାଇଁ ଯେଉଁସବୁ ସରଞ୍ଜାମ ରହିଛି, ଆଇଜି ତାହାର ତଦାରଖ କରି ସମୀକ୍ଷା କରିଥିଲେ ବୋଲି ଜଣାପଡିଛି ।
ତେବେ ବିଶେଷ କରି, ସମୁଦ୍ର ଉପକୂଳରେ ଥିବା ଧାମରା, ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳ ପ୍ରତି ଅଧିକ ଫୋକସ କରାଯିବ ବୋଲି ଆଇଜି ପରାମର୍ଶ ଦେଇଥିବା ସୂଚନା ମିଳିଛି । ସେହିପରି ଅଗ୍ନିଶମ ବାହିନୀ ଉଭୟ ପୋଲିସ, ପ୍ରଶାସନ ସହିତ ସମନ୍ବୟ ରକ୍ଷାକରି ଏହି ବାତ୍ୟା ସମୟରେ କାର୍ଯ୍ୟ କରିବାକୁ ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।
ଏହି ସମୀକ୍ଷା ବୈଠକରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ