ଭଦ୍ରକ: ସାମରାଇପୁରରେ ନିର୍ମାଣ ହେଉଥିବା ନୂଆ ମେଡିକାଲ ପାଚେରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ସମସ୍ୟା । ଏହି ପାଚେରୀ ନିର୍ମାଣ ହେଲେ ଗେଲପୁର ପଞ୍ଚାୟତର 4 ରୁ ଊର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଏନେଇ ଆଜି(ବୁଧବାର) ଗ୍ରାମବାସୀ ଧାରଣାରେ ବସିଛନ୍ତି ।
ଏହି ଧାରଣାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ମାଆ ଏବଂ ଭାଇ ମଧ୍ୟ ବସିଥିବା ଦେଖିବାକୁ ମିଳିଛି । ଯଦି ପାଚେରୀ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ବିଧାୟକଙ୍କ ଘର ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ସ୍ଥିତ ସାମରାଇପୁରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରଖାନା ନିର୍ମାଣ କରାଯାଉଛି । ଏହି ଡାକ୍ତରଖାନା ପାଇଁ ଏକ ବିରାଟ ପାଚେରୀ ମଧ୍ୟ ନିର୍ମାଣ କରାଯାଉଛି । ଏହି ପାଚେରୀ ନିର୍ମାଣ ହେଲେ ଗେଲପୁର ପଞ୍ଚାୟତର 4 ରୁ ଊର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ ତାଙ୍କ ଘରବାରି ଏବଂ ଚାଷଜମିକୁ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେବେ । ଏକପ୍ରକାର ଚାଷଜମିକୁ ଯିବା ପାଇଁ ରାସ୍ତା ଅବରୋଧ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ