ଭଦ୍ରକ: ବିବାଦରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପନେତା ବିଷ୍ନୁ ସେଠୀ। ଖବର ଅନୁଯାୟୀ ଗୁରୁବାର ଦିନ 72 ତମ ବିଶ୍ଵ ମାନବାଧିକାର ଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ, ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସର୍ବ ଭାରତୀୟ ସମ୍ପାଦିକା ତାପସି ପ୍ରହରାଜ, ବିରୋଧୀ ଦଳର ଉପନେତା ବିଷ୍ନୁ ସେଠୀ, ବରିଷ୍ଠ ଆଇନଜୀବୀ ଟହଲି ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ, ମାନବାଧିକାର ସୁରକ୍ଷା ଦିଗରେ ଆଲୋଚନା କରିଥିଲେ।
ହେଲେ ବିଷ୍ନୁ ସେଠି, ମହିଳା ମାନଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ତାପସି ପ୍ରହରାଜ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଥିବା ଜଣାପଡିଛି । ତେବେ ବିଷ୍ଣୁ, ତାପସିଙ୍କୁ ଏନେଇ ଧମକ ଦେବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି, ତାପସି ପ୍ରହରାଜଙ୍କ ପକ୍ଷରୁ ଶୁକ୍ରବାର ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଛି। ତେବେ ଏନେଇ ପୋଲିସ କି ବିଷ୍ନୁ ସେଠୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ