ଭଦ୍ରକ: ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଚିଛି । ଯାହାକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଶାସନିକ ଅଧିକାରୀ ମଧ୍ୟ ଲାଗିପଡିଛନ୍ତି । ଜଣେ ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ 8 ଟି ପ୍ରଶ୍ନର ଉତ୍ତର ମାଗିଥିଲେ । ଆଉ ଏନଏସିର ପିଆଇଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଡିପୋଜିଟ କଲେ ତଥ୍ୟ ମିଳିବ ବୋଲି ଚିଠି କରିଛନ୍ତି । ଏହାକୁ ନେଇ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ ବୋଲି ଆବେଦନକାରୀ ବାସୁଦେବ ଦାସ ଅଭିଯୋଗ କରିଛନ୍ତି ।
ଆବେଦନକାରୀ ବାସୁଦେବ ଦାସ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ 2017 ରେ ଘୋଷଣା ହେବା ପରଠାରୁ 2020 ମଧ୍ୟରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଆହାର କେନ୍ଦ୍ରରେ କରୋନା ସମୟରେ ମାଗଣା ଦିଆଯାଉଥିବା ଆହାରର କୌଣସି ହିସାବ ମିଳୁନଥିବା ପ୍ରଧାନମନ୍ତ୍ରୀ ଆବାସ ସଠିକ ଲୋକଙ୍କୁ ଦିଆନଯିବା ଏନଏସିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କିଣାଯିବା ଆବଶ୍ୟକ ନଥିବା ପ୍ରୋଜେକ୍ଟ ଗୁଡିକ ଦିଆଯାଇ ଫଲ୍ସ ବିଲ କରାଯାଇଥିବା ଓ ଏମିତି ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ଏନେଇ ଏହାର ସତ୍ୟାସତ୍ୟ ଜାଣିବାପାଇଁ RTI ଆଇନ ଅନୁଯାୟୀ 8 ଟି ପ୍ରଶ୍ନର ଉତ୍ତର ମାଗିଥିଲେ ଆବେଦନକାରୀ । ହେଲେ ଆବେଦନକାରୀ କୁ ଲକ୍ଷେ ପାଞ୍ଚ ହଜାର ଟଙ୍କା ଦେଲେ ତଥ୍ୟ ଦିଆଯିବ ବୋଲି ଚିଠି କରିଛନ୍ତି ଏନଏସି ପିଆଇଓ । ଯାହା ଆବେଦନକାରୀ କୁ ତଥ୍ୟ ନଦେବା ଓ ଦୁର୍ନୀତିକୁ ଘଣ୍ଟ ଘୋଡାଇବା, ଆବେଦନକାରୀକୁ ମାନସିକ ନିର୍ଯାତନା ଦେବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆବେଦନକାରୀ କମିଶନରଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ୟପଟରେ ଏନଏସି ଜନ ସୂଚନା ଅଧିକାରୀ ସେକ ମଜ୍ଜରୁଲ କହିଛନ୍ତି ଯାହା ଉଚ୍ଚ ଅଧିକାରୀ କହିଲେ ସେହି ଅନୁସାରେ ମୁଁ ଚିଠି କରିଛି। ଯଦି ହବ ଆମେ ଆବଶ୍ୟକ ଟଙ୍କା ରଖି ଅନ୍ୟଟଙ୍କା ଫେରାଇଦେବୁ।
ଏଠି ପ୍ରଶ୍ନ ଉଠୁଛି ସରକାର ବିଧି ବ୍ୟବସ୍ଥା ଅନୁସାରେ ଆପଣ ତଥ୍ୟ ଜାଣିବାକୁ ହେଲେ କଣ ଲକ୍ଷପତି ହେବା ଜରୁରୀ କି? ଏହା ସୂଚନା ଅଧିକାର ଆଇନକୁ ଉପହାସ ନୁହେଁ କି?
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ