ଭଦ୍ରକ: ପୋଲିସ ଓ ଜନତାଙ୍କ ସମ୍ପର୍କକୁ ସୁଦୃଢର ନିଆରା ପ୍ରୟାସ । ପରସ୍ପରକୁ ଅବୀର ଲଗାଇ ସମ୍ପର୍କର ସୂତାକୁ ଆହୁରୀ ମଜଭୁତ କରନ୍ତି ପୋଲିସ ଓ ସାଧାରଣ ଜନତା । ଏପରି ନିଆରା ପରମ୍ପରା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ । 1943 ମସିହାରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀପୋଖରୀ ଥାନା ପରିସରରେ ଅନୁଷ୍ଠିତ ହୋଇଥାଏ ତିନି ଦିନିଆ ମୁନସି ମେଳଣ ଉତ୍ସବ । ଯାହାକି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ ।
1942 ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଛି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଭଣ୍ଡାରିପୋଖରୀ ଥାନାକୁ ପୋଡି ଦେଇଥିଲେ । ଯାହା ପରଠାରୁ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଥିଲା । ଆଉ ଏହି ସମ୍ପର୍କରେ ସୁଧାର ଆଣିବାକୁ ଯାଇ 1943 ମସିହାରେ ନୂଆ ସମ୍ପର୍କର ଡୋରି ବାନ୍ଧିଥିଲେ ସେତେ ବେଳେ ଥିବା ଥାନା ଅଧିକାରୀ ବାବୁଲାଲ ମୁନ୍ସୀ । ବ୍ରିଟିଶ ପୋଲିସରେ ସେ ଥାଇ ମଧ୍ୟ ଲାଲ ମୁନସିଙ୍କ ଏହିପରି ପଦକ୍ଷେପ ଆଜି ଯାଏଁ ଉଦାହରଣ ପାଲିଟିଛି । ରାଜସ୍ଥାନର ବାବୁଲାଲ ମୁନ୍ସୀ ଆଜି ଆଉ ନାହାଁନ୍ତି । ହେଲେ ତାଙ୍କର ସେହି ଐତିହାସିକ ନିଷ୍ପତ୍ତି ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କର ଡୋରିକୁ ମଜଭୁତ କରିବାରେ ସକ୍ଷମ ହୋଇଛି । ଏହି ମେଳଣ ଆଜିବି ଥାନା ବଡ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି । ଏହି ମେଲଣ ଉତ୍ସବ ଆଜି ପାଲଟିଛି ଐତିହାସିକ ଗଣପର୍ବ ।
ଏହି ମେଳଣମାନଙ୍କ ମଧ୍ୟରୁ ଭଣ୍ଡାରୀପୋଖରୀ ଥାନା ପରିସରରେ ଅନୁଷ୍ଠିତ ହେଉଥିବା ମୁନସୀ ମେଳଣ ଐତିହ୍ୟ ବହନ କରୁଛି । ଯାହାର ଉଦ୍ଦେଶ୍ୟ ରହିଛି ସୁ-ସମ୍ପର୍କ ସ୍ଥାପନା । ଦୁଇ ପକ୍ଷଙ୍କ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ କରିବା । ବିଗତ ଦୁଇ ବର୍ଷର କୋରୋନା କଟକଣା ପରେ, ପୂର୍ବ ଭଳି ଚଳିତ ବର୍ଷ ପୁନଃ ଏହି ମେଳଣ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ଦୀର୍ଘ ଆଠ ଦଶନ୍ଧି ଧରି ଅନୁଷ୍ଠିତ ହୋଇ ଆସୁଛି ଏହି ଐତିହାସିକ ମୁନ୍ସୀ ମେଲଣ। ପରମ୍ପରା ଅନୁସାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁଇଟି ଠାକୁର ବାଡିର ବିଜେ ପ୍ରତିମାଙ୍କୁ ଥାନା ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଠାକୁର ବଡିଆ ମାନେ ରାଧା ଗୋବିନ୍ଦଙ୍କ ବିଜେ ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସାଇ ରୋଷଣୀ କରି ବିରାଟ ଶୋଭାଯାତ୍ରାରେ ଥାନା ପରିସରରେ ପହଞ୍ଚିଥିଲେ । ତେବେ ଚଳିତ ବର୍ଷ 20ରୁ ଊର୍ଦ୍ଧ୍ବ ଦୋଳ ବିମାନ ଆସିଥିବା ଜଣାପଡିଛି । ଏହାପରେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ରଙ୍ଗ ବୋଳାବୋଳି ହେବା ସହ ଠାକୁରଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, ଭଦ୍ରକ