ଭଦ୍ରକ: ବର୍ଷ ବର୍ଷ ହୋଇ ୯ ବର୍ଷ ବିତିଲାଣି ଭଦ୍ରକ ଜିଲ୍ଲା ମାଟିଆସାହି ବୃହତ୍ତ ସେତୁର ଶିଳାନ୍ୟାସକୁ । ମାଟି ପଡିଲା, ଟେଣ୍ଡର ବି ଦିଆଗଲା, ହେଲେ ସମ୍ପୂର୍ଣ୍ଣ ହୋଇପାରିଲାନି ପୋଲ ନିର୍ମାଣ କାର୍ଯ୍ୟ । ଆଜି ବି ଅଞ୍ଚଳବାସୀଙ୍କ ପାଇଁ ସାହାରା ପାଲଟିଛି କାଠପୋଲ । ତିହିଡି ବଜାରରୁ ସୟା ଦେଇ ବାସୁଦେବପୁର ତଥା ଧାମରା ପର୍ଯ୍ୟନ୍ତ ଲମ୍ବିଛି ଏହି ବୃହତ୍ତ ସେତୁ । ମାତ୍ର ଅଧପନ୍ତରିଆ କାର୍ଯ୍ୟ ଏବଂ ବିପଦ ସଂକୁଳ ଗମନାଗମନକୁ ନେଇ କ୍ଷୋଭରେ ଅଞ୍ଚଳବାସୀ ।
ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକର ସଂଯୋଗୀକରଣ ପାଇଁ ମନ୍ତେଇ ନଦୀରେ ମାଟିଆସାହି ନିକଟରେ ଫେବ୍ରୁଆରୀ 11, 2013 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ ସେତୁର ଶିଳାନ୍ୟାସ କରିଥିଲେ । ମାତ୍ର ସେତୁର ପଶ୍ଚିମ ପାଶ୍ୱର୍ରେ ଆପ୍ରୋଚ ରୋଡରେ ଘରୋଇ ଜମି ରହିଥିବା ନେଇ ଟେଣ୍ଡର ବାତିଲ ହୋଇଥିଲା । ୨ ବର୍ଷ ପରେ ଘରୋଇ ଜମି ଅଦଳ ବଦଳ କରିବା ପାଇଁ ଜମି ମାଲିକ ସହିତ ଚୁ୍କ୍ତି ହୋଇଥିଲା । 2015 ମାର୍ଚ୍ଚ ୧୮ ତାରିଖରେ 5 କୋଟି 9 ଲକ୍ଷ 85 ହଜାର ଟଙ୍କା ବ୍ୟୟବରାଦରେ ସାନି ଟେଣ୍ଡର ହୋଇ ଠିକାଦାର କାର୍ଯ୍ୟାରମ୍ଭ କରିଥିଲେ ।
ସେତୁର ଛାତ ପଡିବା ପରେ ପୁଣି ଘରୋଇ ଜମି ବିବାଦ ଘନେଇଥିଲା । ଯାହାକୁ ସମାଧାନ କରିବା ପାଇଁ 2 ବର୍ଷ ପର୍ଯ୍ୟନ୍ତ ଆପ୍ରୋଚ ରୋଡ କାର୍ଯ୍ୟ ବନ୍ଦ ରହିଥିଲା । ପରେ ଏହାର ସମାଧାନ ହୋଇ ଗତ 2021 ଜାନୁଆରୀ ମାସରେ ପୁଣି ଆପ୍ରୋଚ ରୋଡ କାର୍ଯ୍ୟାରମ୍ଭ ହୋଇଥିଲା । ମାତ୍ର କାମ ପାଇଁ ରାସ୍ତାରେ ପଡୁଥିବା ମାଟି ନଦୀ ଗର୍ଭକୁ ଚାଲି ଯାଉଥିଲା ।
ଫଳରେ ଆପ୍ରୋଚ ରୋଡର ରିଟେର୍ଣ୍ଣିଂ ୱାଲ ନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଅନୁମୋଦନକୁ ବର୍ଷାଧିକ ସମୟ ଚାଲିଗଲା । ଏହାରି ମଧ୍ୟରେ ୯ ବର୍ଷ ବିତିଯାଇ ଥିବାରୁ ପୁର୍ବ ଅଟକଳରେ କାମ କରିବାକୁ ଠିକା ସଂସ୍ଥା ଅରାଜି ହେବାରୁ ଗତ କିଛି ମାସ ହେଲା ପ୍ରାୟ 79 ଲକ୍ଷ ଟଙ୍କାର ବର୍ଦ୍ଧିତ ବ୍ୟୟବରାଦରେ ଆପ୍ରୋଚ ରୋଡ ନିର୍ମାଣ କରିବା ଲାଗି ସୁପାରିଶ କରାଯାଇଛି ।
ଅନ୍ୟପଟେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ହସ୍ତକ୍ଷେପରେ ସେତୁ ନିର୍ମାଣକୁ ନେଇ ସବୁଜ ସଂକେତ ମିଳିଛି । ଖୁବଶୀଘ୍ର ଆପ୍ରୋଚ ରୋଡ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସେତୁଟି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ତିହିଡି ବଜାରରୁ ସୟା ଦେଇ ବାସୁଦେବପୁର ତଥା ଧାମରା ପର୍ଯ୍ୟନ୍ତ ଲମ୍ବିଛି । ସେତୁ କାର୍ଯ୍ୟକ୍ଷମ ହେଲେ ଦୁଇଟି ବ୍ଲକର ପ୍ରାୟ 25 ଟି ପଞ୍ଚାୟତବାସୀ ଉପକୃତ ହେବେ ।
ତେବେ ବିପଦ ସଂକୁଳ ଭାବେ ଭଙ୍ଗା ଦଦରା କାଠ ପୋଲରେ ଯାତାୟତ କରୁଥିବା ଅଞ୍ଚଳ ବାସୀଙ୍କ ଦୁଃଖ କେବେ ଦୂର ହେବ । କେବେ ଏହି ବୃହତ ସେତୁ କାର୍ଯ୍ୟକ୍ଷମ ହେଉଛି, ତାହା ଦେଖିବାବାକୁ ବାକି ରହିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ