ଭଦ୍ରକ: ଗୁରୁବାର ପବିତ୍ର ଦୀପାବଳି ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାଦୀପ ଉଠିଛି । ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି । ଭୋର 4 ଟାରେ ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ ।
ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତି ଭୋଗ ଲାଗି ହେବା ପରେ ଏକ ଘଣ୍ଟା ଅବକାଶ (ଶୟନ) ନୀତି ଅନୁଷ୍ଠିତ ହୋଇଥିଲା । ଦୀପାବଳି ନୀତି ପାଇଁ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ନ 4 ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ସନ୍ଧ୍ୟାରେ ଦୀପଦାନ ଓ ଷୋଡଶ ଉପଚାରପୂଜା, ବଡଆଳତି ନୀତି ସରିବା ପରେ ରାତ୍ର 8ଟାରେ ପାଳିଆ ସେବାୟତଙ୍କ ଦ୍ବାରା ମହାଦୀପ ପ୍ରସ୍ତୁତ କରାଯାଇ ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯାଇଥିଲା ।
ଏହା ପରେ ସଂକୀର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାଦୀପ ମନ୍ଦିର ଚୂଡାକୁ ଉଠିଥିଲା । ସମସ୍ତ କୋଭିଡ କଟକଣା ମଧ୍ଯରେ ନୀତିକାନ୍ତି ସମ୍ପନ୍ନ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ