ଭଦ୍ରକ: ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ଲୋକାରଣ୍ୟ ସାରା ସହର । ସେପଟେ ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଫୁଟେଜ ଲାଗିବା ସତ୍ତ୍ବେ ବେଧଡକ ଚାଲିଛି ଲୁଟେରାଙ୍କ ରାଜ୍ । ଆଉ ଏହି ଲୁଟେରାଙ୍କ ଆତଙ୍କରୁ ବାଦ୍ ପଡିନାହାନ୍ତି ଛୋଟ ପିଲା ।
ସୂଚନାନୁସାରେ, ଭଦ୍ରକ ରମ୍ଭିଳା ଗ୍ରାମର ଗଦାଧର ନାୟକ ନିଜ ପରିବାର ସହ କାଳୀ ପୂଜା ମେଳା ଦେଖିବାକୁ ଆସିଥିଲେ । ଏହି ସମୟରେ ଜଣେ ଲୁଟେରା ତାଙ୍କ ଝିଅ ବେକରୁ ସୁନା ଲକେଟ ଛିଣ୍ଡାଇ ନେଇ ଦୌଡି ପଳାଉଥିଲା । ହେଲେ ଗଦାଧରଙ୍କ ଝିଅ ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଗିରଫ ଲୁଟେରା ଜଣକ ଟାଉନ ଥାନା ଅପର୍ତ୍ତିବିନ୍ଧା ଗ୍ରାମର ସୁଶାନ୍ତ ଦାସ ବୋଲି ଜଣାପଡିଛି । ସେପଟେ ଘଟଣାସମ୍ପର୍କରେ ପୋଲିସ ଓ ସ୍ଥାନୀୟ ଲୋକେ କ୍ୟାମେରା ସାମନାରେ କିଛି କହିନାହାନ୍ତି ।
ତେବେ ଗିରଫ ସୁଶାନ୍ତ ଏବଂ ଅନ୍ୟ ଏକ ଲୁଟ ଘଟଣାରେ ଗିରଫ ହୋଇଥିବା ପ୍ରଶାନ୍ତ ଜେନା ଉଭୟ ପୋଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ତେବେ ଥାନା ବାହାରେ ଥିବା କିଛି ଲୋକ ସେମାନଙ୍କୁ କାବୁ କରି ପୁନର୍ବାର ପୋଲିସ ଜିମା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ଦାସ, ଇଟିଭି ଭାରତ