ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ବରେ ଗ୍ୟାସ ପାଇପ ଲାଇନ ବିଛା କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଫୁଟ୍ ପାଥ ଉପରେ ଏହି ପାଇପ ବିଛା ଯାଉଛି ଏବଂ ରାସ୍ତାକୁ ଲଗେଇ ମେସିନ ଦ୍ବାରା ଗଭୀର ନାଳ ଖୋଳାଯାଉଛି । ଯାହା ଦ୍ବାରା ରାସ୍ତାର ସ୍ଥାୟିତ୍ବ ଉପରେ କୁପ୍ରଭାବ ପକାଇବ ବୋଲି ଅଭିଯୋଗ ହୋଇଛି ।
ପାଇପ ବିଛାଇବା ପାଇଁ ମାଟି ଖୋଳିବା ପରେ ଉକ୍ତ ମାଟିକୁ ମୁଖ୍ୟରାସ୍ତା ଉପରେ ପକାଯାଉଛି । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ବହୁତ ସମସ୍ୟା ଉପୁଜୁଥିବା ଅଭିଯୋଗ କରି ଠିକାଦାରଙ୍କ କାର୍ଯ୍ୟକୁ ବନ୍ଦ କରାଯାଇଛି । ସ୍ଥାନୀୟ ଲୋକେ କାମ ବନ୍ଦ କରିବା ସହ ପୂର୍ତ୍ତ ବିଭାଗୀୟ SDOଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପାଇପ ବିଛା କାର୍ଯ୍ୟ ସମୟରେ ରାସ୍ତାରେ ଚଳାଚଳ କରିଥିବା ଯାନବାହନ ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଠିକାଦାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏଥିସହ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପଟେ ପାଇପ ଲାଇନ ପାଇଁ ଖୋଳା ଯାଉଥିବା ଗାତରେ ବାଲି ଦିଆଯାଇ ନଥିବାରୁ କିଛିଦିନ ପରେ ଖେଳା ଯାଇଥିବା ଅଂଶ ଦବିଯିବା ସହ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହେବ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏଥିସହ ଏହି କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ଫଳକ ନଥିବାରୁ ଠିକାଦାର ମନମୁଖି କାର୍ଯ୍ୟ କରୁଥିବା ଏବଂ ପୂର୍ତ୍ତ ବିଭାଗ ମୁହଁ ଖୋଲୁନଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକଙ୍କ ପ୍ରତିରୋଧ ପରେ ରାସ୍ତାରୁ କିଛି ମାତ୍ରାରେ ମାଟି ଉଠା ଯାଇଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରାୟ 6୦୦ ମିଟର ରାସ୍ତା ବିପଦପୂର୍ଣ୍ଣ ହୋଇ ପଡିରହିଛି ।
ବିଶେଷ କରି ୨ ଚକିଆ ଯାନ ଆରୋହୀ ଦୁର୍ଘଟଣାଗ୍ରସ୍ତ ହେଉଥିବାର ନଜରକୁ ଆସିଛି । ପାଳିଆବିନ୍ଧା ସେବା ସମବାୟ ସମିତି ସମ୍ମୁଖରେ ଏପରି ଅବ୍ୟବସ୍ଥା କିଛି ଦିନ ହେବ ଚାଲୁଥିବା ବେଳେ ବର୍ଷା ହେତୁ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇପଡିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ