ଭଦ୍ରକ: ବିଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା। ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର। ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ଏକ ଠିପିଖୋଲା ମଦ ଦୋକାନ ଖୋଲିବା ନେଇ ପ୍ରସ୍ତାବ ହୋଇଛି। ଯାହାକୁ ତୀବ୍ର ବିରୋଧ କରିଛନ୍ତି ଧାମନଗର ବାସିନ୍ଦା।
ମଦ ଦୋକାନ ଖୋଲାଯିବାକୁ ଥିବା ସ୍ଥାନରୁ ନିକଟରେ ଏକ ମଠ ଓ ମନ୍ଦିର ରହିଛି। ଏଠାରେ ମନ୍ଦିର ଖୋଲିଲେ ଅସାମାଜିକ ବ୍ୟକ୍ତିମାନେ ସ୍ଥାନରେ ମଦ୍ୟପାନ କରିବାର ଆଶଙ୍କା ରହିଛି। ଏହାଦ୍ବାରା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବାର ଆଶଙ୍କା ଦେଖାଦେଉଛି। ଏଥିପାଇଁ ଏଠାରେ ମଦ ଦୋକାନ ନଖୋଲିବାକୁ ଦାବି କରିଛନ୍ତି ଲୋକେ।
ଏହାସହ ଏହି ସ୍ଥାନଟି ଜନବସତି ପାଇଁ ଉପଯୁକ୍ତ । ଏଥିପାଇଁ ବହୁ ଲୋକ ଏଠାରେ ଜମି କିଣି ଗୃହ ନିର୍ମାଣ କରିଛନ୍ତି। ମଦ ଦୋକାନ ଏଠାରେ ଖୋଲାଗଲେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଏନେଇ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ବାସୀନ୍ଦା। ସମୂହ ସ୍ବାର୍ଥ ପାଇଁ ଏଠାରେ ପ୍ରସ୍ତାବିତ ମଦ ଦୋକାନ ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ମଦ ଦୋକାନ ଖୋଲିବା ପ୍ରସ୍ତାବ ରଦ୍ଦ କରାନଗଲେ ବ୍ୟାପକ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ