ଭଦ୍ରକ: ପୌରପାଳିକାର କଚେରୀ ବଜାର ଓ ମୋଚି ଛକ ଠାରୁ ମା ଭଦ୍ରକାଳୀ ପୀଠ ରାସ୍ତା ଶୋଚନୀୟ ହୋଇଛି । ରାସ୍ତାକାମ ଶୀଘ୍ର ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି ଭଦ୍ରକବାସୀ ।
ଦୀର୍ଘ ଦିନ ହେବ ଭଦ୍ରକ ଜିଲ୍ଲାର କଚେରୀ ବଜାର, ମୋଚିପଟି ଛକରୁ ନଙ୍ଘାମେଲା ପୁରୁଣା ବଜାର, ବାଙ୍କା ବଜାରରୁ ସଂଙ୍ଘ ଛକ ପର୍ଯ୍ୟନ୍ତ ରାସ୍ତା ଅତିରୁ ଅତି ଖରାପ ଅବସ୍ଥାରେ ରହିଛି । ଏହି ରାସ୍ତା ଉପରେ ପ୍ରାୟ 15ଟି ୱାର୍ଡର 60ହାଜାର ଲୋକ ନିର୍ଭରଶୀଳ । ରାସ୍ତା ଦୁଇ ପାଖରେ ବଡ ବଡ ଖାଲ ଥିବା ଦେଖାଯାଇଛି । ଅସରାଏ ବର୍ଷାରେ ଖାଲରେ ପାଣି ମଧ୍ୟ ଜମିଯାଉଛି । ପିଲାମାନେ ସେ ବାଟ ଦେଇ ସ୍କୁଲ କଲେଜ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଏପରି ଅବସ୍ଥା ଯେ ସେଠି ଅନେକ ଦୁର୍ଘଟଣା ମଧ୍ୟ ହେଲାଣି । ମରଣଯନ୍ତା ପାଲଟିଛି ଭଦ୍ରକ ପୌରପାଳିକାର ରାସ୍ତା । ରାସ୍ତା ମରାମତି ଓ ଜବରଦଖଲ ଉଚ୍ଛେଦ କରି ପ୍ରଶସ୍ତିକରଣ କରିବାକୁ ଅନେକ ଥର ଜିଲ୍ଲାପାଳ,ବିଧାୟକ ଓ ସାଂସଦଙ୍କୁ କହିବା ପରେ ବି ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ହୋଇନି । ରାସ୍ତା ମରାମତି କାମ ଜଲଦି ଆରମ୍ଭ କରିବାକୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଆସନ୍ତା ୧୫ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତିକରଣ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଭଦ୍ରକବାସୀ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ