ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ଗ୍ରାମପଞ୍ଚାୟତରେ, ରାଜସ୍ୱ ବିଭାଗ ଆଖିରେ ଧୂଳି ଦେଇ ଦିନ ଦ୍ବିପହରେ ସରକାରୀ ଜମିରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି । ଅନ୍ୟ ପକ୍ଷରେ ସେହି ମାଟିକୁ ଠିକାଦାର ସରକାରୀ ପ୍ରକଳ୍ପରେ ଲଗାଇ ମାଲେମାଲ ହେଉଛି । ଯାହାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେବାପରେ ଆରଆଇ କ୍ଷେତ୍ରୀୟ ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଅନୁଭବ କରିବା ସହିତ ଉକ୍ତ କାମକୁ ବନ୍ଦ କରିଥିବା ଜଣାଯାଇଛି ।
ତେବେ ବେଆଇନ୍ ଭାବେ ମାଟି ଖୋଳିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଭିଯୋଗକାରୀ ପକ୍ଷ ଦାବି କରିଛନ୍ତି । ଖବର ଅନୁଯାୟୀ, ସିନ୍ଦୋଳ ଗ୍ରାମପଞ୍ଚାୟତ ପକ୍ଷରୁ ସିନ୍ଦୋଳ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି । କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ଖାଲୁଆ ସ୍ଥାନକୁ ପୋତିବା ଲାଗି ସ୍ଥାନୀୟ ନୂଆସାହି ରାସ୍ତା ପାଶ୍ୱର୍ରେ ଥିବା ସିନ୍ଦୋଳ ମୌଜାର ଏକ ଗୋଚର ଜମିକୁ ଖୋଳି କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରାୟ ୩ ଶହ ଟ୍ରିପ୍ ମାଟି ଉଠାଇଛନ୍ତି ।
କେବଳ ସେତିକି ନୁହେଁ ସେଠାରେ ଏକ ବିଶାଳ ପୋଖରୀ ଖୋଳାଯାଇଛି ଯାହା ଗୃହପାଳିତ ପଶୁଙ୍କ ଚରିବାରେ ଘୋର ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଅଭିଯୋଗକୁ ଭିତ୍ତିକରି କୋହ୍ଲ ଆରଆଇ ସର୍ଜମିନ ତଦନ୍ତ କରିବା ସହିତ କାମ ମଧ୍ୟ ବନ୍ଦ କରିଛନ୍ତି । ଅନ୍ୟପଟେ ନୂଆସାହି ରାସ୍ତା ନିର୍ମାଣ ସମୟରେ ହେଉ ଅଥବା ଅନ୍ୟ କୌଣସି ସରକାରୀ ପ୍ରକଳ୍ପରେ, ବିଭିନ୍ନ ପର୍ଯ୍ୟାୟରେ ବେଆଇନ ଭାବେ ଉକ୍ତ ଗୋଚର ପଡିଆରୁ ମାଟି ଖୋଳାଯାଇଛି । ତେବେ ଏଭଳି ଘଟଣାରେ ତହସିଲଦାର କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା କେବଳ ଦେଖିବା ବାକି ରହିଲା । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ