ଭଦ୍ରକ: ବିବାହକୁ ମାସେ ବିତିନଥିବାବେଳେ ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି । ସ୍ତ୍ରୀ ଆତ୍ମହତ୍ୟା ଖବର ପାଇ ସ୍ବାମୀ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଛୁଇଁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଖଇରା ବ୍ଲକ ରଇଁତରା ଗ୍ରାମରେ । ଖବର ଅନୁଯାୟୀ, ଗ୍ରାମର ବାବୁଲି ଜେନାଙ୍କ ପୁଅ କୈଳାସ ଏକ ମାସ ତଳେ ସୋର ଗଣ୍ଡତରା ଅଞ୍ଚଳର ସତ୍ୟାନନ୍ଦ ଜେନାଙ୍କର ଝିଅ ପୂଜା ଜେନା ସହିତ ବୈଦିକ ରୀତିରେ ବିବାହ କରିଥିଲେ ।
ବିବାହର ଏକ ମାସ ପରେ ନବ ଦମ୍ପତ୍ତି ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ପୂଜାର ବାପା ଓ ଘରଲୋକ ଖବର ପାଇ ଏଥର ପୂଜା ଘରକୁ ରଜ ଭାର ନେଇ ଗଲେ ଏବଂ ସମାଧାନ କରିବା ନେଇ ଝିଅକୁ କଥା ଦେଇଥିଲେ ବୋଲି ଜଣାପଡିଛି । ହେଲେ, ରଜ ଦୁଇ ଦିନ ପୂର୍ବରୁ ଆଜି(ରବିବାର) ପୂଜା ଶ୍ବଶୁର ଘରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜାଣିପାରି ସ୍ବାମୀ କୈଳାଶ ନିଜ ଘର ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ସ୍ବାମୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ଇଟିଭି ଭାରତ, ଭଦ୍ରକ