ଭଦ୍ରକ: ଜିଲ୍ଲାରେ ପହଁଞ୍ଚିଲା ହକି ବିଶ୍ବକପ ଟ୍ରଫି । ହକି ବିଶ୍ବକପ ଟ୍ରଫି ପରିକ୍ରମା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିକ୍ରମା କରିଥିବା ବେଳେ ସୋମବାର ଭଦ୍ରକରେ ପହଁଞ୍ଚିଛି ବିଶ୍ବକପ ଟ୍ରଫି । ଟ୍ରଫିକୁ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ଆୟୋଜନ ସହ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରଫି ପରିକ୍ରମାରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚିଥିଲା । ସେଠାରେ କଲେଜର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଟ୍ରଫିକୁ ସ୍ବାଗତ କରିଥିଲେ । ଏହା ପରେ ସହର ଦେଇ ଟ୍ରଫି ନେହେରୁ ଷ୍ଟାଡିୟମଠାରେ ପହଞ୍ଚିଥିଲା । ସେଠାରେ ସ୍ଥାନୀୟ ବାସିନ୍ଦା ଟ୍ରଫିକୁ ଭବ୍ୟ ସ୍ବାଗତ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଭଦ୍ରକ ସହର ମଧ୍ୟସ୍ଥଳ ଅପର୍ତିବିନ୍ଧା ଛକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ମହତାବଛକ ପର୍ଯ୍ୟନ୍ତ ଅନୁଷ୍ଠିତ ପଥ ଉତ୍ସବ ମାଧ୍ୟମରେ ଏହି ହକି ବିଶ୍ବକପ ଟ୍ରଫିକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଭଣ୍ଡାରିପୋଖରୀ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା ହକି ବିଶ୍ବକପ ଟ୍ରଫି । ସେଠାରେ ଟ୍ରଫିକୁ ସ୍ବାଗତ କରାଯିବା ପରେ ଯାଜପୁର ଅଭିମୁଖେ ଯାତ୍ରା କରିଛି ଟ୍ରଫି ପରିକ୍ରମା ।
ହକି ବିଶ୍ବକପ ଟ୍ରଫି ପରିକ୍ରମା ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲେ । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଟ୍ରଫି । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ ।
୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।
ଇଟିଭି ଭାରତ, ଭଦ୍ରକ