ଭଦ୍ରକ: ଦୁଃଖୀଙ୍କ ଦୁଃଖହର୍ତ୍ତା ଥିଲେ ବାପୁ । ଛୋଟ, ବଡ , ସମ୍ଭ୍ରାନ୍ତ, ଗରିବ, ଦଳିତ, ବ୍ରାହ୍ମଣ ସବୁ ଥିଲେ ତାଙ୍କ ଆଖିରେ ସମାନ । ଆଉ ଯାହାର କେହି ନଥିଲେ ତାର ସବୁକିଛି ଥିଲେ ମହାତ୍ମା । ଏଭଳି ବିଚାରରେ ଅନୁପ୍ରଣୀତ ହୋଇ ତାଙ୍କ ପଟ୍ଟଶିଷ୍ୟ ଜୀବନରାମ କଲ୍ୟାଣଜୀ କୋଠରୀ ସୁଦୂର ଗୁଜୁରାଟରୁ ଆସି ଗରଦପୁରରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ଯାହା ଏବେ ଗାନ୍ଧୀ ଓଡିଶା ବାଳାଶ୍ରମ ନାମରେ ପରିଚିତ । କିନ୍ତୁ ଏହାର ମୂଳ ଆବାହକ ବାପୁଙ୍କ ସ୍ମୃତି ଏବେ ଜରାଜୀର୍ଣ୍ଣ ।
1928 ମସିହାରେ 5 ଶିଶୁଙ୍କୁ ନେଇ ଗଢିଉଠିଥିବା ଏହି ଅନାଥଳୟ ଏବେ 210 ଅନ୍ତେବାସୀଙ୍କ ଜୀବନ ପିଣ୍ଡ । ହେଲେ ଏହି ଆଶ୍ରମର ଶୀରନାମା ତାର ସାର୍ଥକତା ହରାଇବାରେ ଲାଗିଛି । ରକ୍ଷଣାବେକ୍ଷଣ ଅଭାବରୁ ଅବକ୍ଷୟ ହେବାରେ ଲାଗିଛି ତାଙ୍କ ଦୁର୍ଲଭ ଆସାବପତ୍ର । ଏପରିକି 3 ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଗାନ୍ଧୀ ସର୍କିଟର ପରିକଳ୍ପନା କରାଯାଇଥିଲା ତାହା ବି ପୂରଣ ହେଉନି । ଫଳରେ ଏତେ ଗୌରବ ରହି ବି ଲୋକଲୋଚନକୁ ଆସିପାରୁନି ଏହି ସ୍ମୃତିପୀଠ । ଏପରିକି ଆଜିଯାଏଁ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟନା ମିଳିନଥିବା ଅଭିଯୋଗ ହୋଇଛି ।
1943ରେ ହରିଜନ ପଦଯାତ୍ରା ପାଇଁ ଗାନ୍ଧୀ ଓଡିଶା ଆସିଥିବା ସମୟରେ ଏଠାରେ 3 ଦିନ ରହିଥିଲେ । ସେବେଠାରୁ ଏଠାରେ ତାଙ୍କର ଡାଏରୀ, ଚରଖ, ହାତ କଟା ସୁତା, ଚଷମା, ବିଛଣା, ଖଟ ପରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ସେମିତି ରହିଛି । ନା କୌଣସି ସହାୟତା ଓ ନା କିଛି ଚେଷ୍ଟା ମିଳୁଛି । ଯେଉଁଥିପାଇଁ ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି ତାଙ୍କ ସ୍ମୃତି ସାମଗ୍ରୀ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ସ୍ଥାନକୁ ଗାନ୍ଧୀ ସର୍କିଟ ତଥା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଦାବି ହୋଇଛି ।
ଅନ୍ତେବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ଏଠାରେ 1957 ମସିହାରେ ଏକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଗାନ୍ଧୀଙ୍କ ନୀତିଆଦର୍ଶରେ ପରିଚାଳିତ ଏହି ଅନାଥାଶ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦାରିଦ୍ର୍ୟତାର କଷାଘାତରେ ଜର୍ଜରିତ ବହୁ କୋମଳମତି ଏଠାରେ ନିଜର ଜୀବନ ଗଢ଼ୁଛନ୍ତି । ତେବେ ଏହି ଐତିହାସିକ ସ୍ଥାନର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ନବନିର୍ବାଚିତ ବିଧାୟକ 150 ତମ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତିଶୃତି ଦେଇଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଏହା କେତେ କାର୍ଯ୍ୟକାରିତା କେତେଦୂର ସଠିକ ରୂପାୟନ ହେଉଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ